ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଶାନ୍ତି ପ୍ରସ୍ତାବ । ୟୁକ୍ରେନକୁ ଦେଲେ ଡିଲର ଅଫର । କାହିଁକି ଏବେ ଯୁଦ୍ଧରୁ ପଛକୁ ହଟିବାକୁ ଚାହୁଁଛନ୍ତି ପୁତିନ? ଲଗାତର ଯୁଦ୍ଧ, ଆଭ୍ୟନ୍ତରୀଣ ଅସନ୍ତୋଷ ନା ଟ୍ରମ୍ପଙ୍କ ଚାପ? ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟକୁ ଛାଡିଦେଲେ ପ୍ରଥମ ଥର ପାଇଁ ୟୁକ୍ରେନ ସହ ଶାନ୍ତି ପ୍ରସ୍ତାବ ଦେଇଛନ୍ତି ପୁତିନ । ଏହା ପୂର୍ବରୁ ଇଷ୍ଟର ଅବସରରେ ଦିନକ ପାଇଁ ଏକତରଫା ଯୁଦ୍ଧ ବିରତି ଘୋଷଣା କରିଥିଲେ । ପରେ ସେ ଯୁଦ୍ଧ ରୋକିବାକୁ ଅଫର ଦେଇଛନ୍ତି । ଏହାର ସକାରାତ୍ମକ ଜବାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଯୁଦ୍ଧ ବିରତି ସଂପର୍କିତ ଯେକୌଣସି ଆଲୋଚନା ପାଇଁ ୟୁକ୍ରେନ୍ ପ୍ରସ୍ତୁତ ଥିବା ସେ ଭିଡିଓ ଜାରି କରି କହିଛନ୍ତି ।
ଋଷର ଶାନ୍ତି ପ୍ରସ୍ତାବ
ଇଷ୍ଟର ପରେ ପୁଣି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ତେବେ ମସ୍କୋ ଯେକୌଣସି ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ରହିଛି, କିଭଠାରୁ ମଧ୍ୟ ସମାନ ଆଶା ରହିଥିବା ପୁତିନ ଋଷର ସରକାରୀ ଟିଭି ଚ୍ୟାଲେନକୁ କହିଛନ୍ତି । ଏହାପରେ ଏନେଇ ଭିଡିଓ ସମ୍ବୋଧନରେ ଜବାବ ରଖିଛନ୍ତି ଜେଲେନସ୍କି । ନାଗରିକ ବହୁଳ ଅଞ୍ଚଳରେ ଆକ୍ରମଣ ରୋକିବା ପ୍ରସ୍ତାବରେ ୟୁକ୍ରେନ୍ କାଏମ ରହିଛି। ଏନେଇ ମସ୍କୋର ସ୍ପଷ୍ଟ ପ୍ରତିକ୍ରିୟା ଆଶା କରୁଛନ୍ତି । ଯେକୌଣସି ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ଜେଲେନସ୍କି କହିଛନ୍ତି। ନିସର୍ତ୍ତ ଯୁଦ୍ଧ ବିରାମ ପରେ ହିଁ ପ୍ରକୃତ ଓ ସ୍ଥାୟୀ ଶାନ୍ତି ସ୍ଥାପନ ହୋଇପାରିବ । ୟୁକ୍ରେନ୍ ଯେସାକୁ ତେସା ନୀତି ଆପଣାଇବ । ଯୁଦ୍ଧ ବିରାମ ହେଲେ ତାର ଜବାବ ଯୁଦ୍ଧ ବିରାମରେ ଓ ଋଷର ଆକ୍ରମଣର ଉତ୍ତର ଜବାବୀ ଆକ୍ରମଣରେ ଦେବ ବୋଲି ଜେଲେନସ୍କି କହିଛନ୍ତି ।
କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ପୁତିନ?
ଲମ୍ବା ସମୟ ଧରି ଯୁଦ୍ଧ ଚାଲିଥିବା ବେଳେ ଏହାର ପ୍ରଭାବ ଋଷ ଉପରେ ପଡିଛି । ଆର୍ଥିକ ସମସ୍ୟାର ସାମନା କରୁଛି ଦେଶ । ଅନୁଶାସନ ହରାଇବାରେ ଲାଗିଛନ୍ତି ଋଷ ସେନା, କିଛି ପଳାୟନ ବି କରୁଛନ୍ତି । ସେନାରେ ଭର୍ତ୍ତି ହେବାକୁ ନେଇ ଯୁବକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଉନି । ମୃତାହତଙ୍କୁ ନେଇ ଦେଶରେ ଅସନ୍ତୋଷ ବଢିବାରେ ଲାଗିଛି । ଯୁଦ୍ଧ କ୍ଷୟକ୍ଷତି ସହ ପଶ୍ଚିମ ଦେଶର କଟକଣା ତଥା ଋଷର ୩ଶହ ବିଲିୟନ ଡଲାର ସଂପତ୍ତି ଜବତ କରିବା ପୁତିନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଏତେ ଦିନ ପରେ ପୁତିନ ନିଜେ ଶାନ୍ତି ପ୍ରସ୍ତାବ ଦେବାର ଅର୍ଥ, କେଉଁଠି ନା କେଉଁଠି ଯୁଦ୍ଧରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ପୁତିନ । ତେବେ ତାଙ୍କର ଯୁଦ୍ଧ ବିରାମ ପ୍ରସ୍ତାବ ଅନେକ ସର୍ତ୍ତ ସହ ରହିଥିବା ନେଇ ଆକଳନ କରାଯାଉଛି ।
ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ କରୁଛି ଆମେରିକା
ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ନେଇ ଆମେରିକା ଉଦ୍ୟମ କରିଆସୁଛି । ଦ୍ବିତୀୟ ଥର କ୍ଷମତାକୁ ଆସିବା ପରଠୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଉଭୟ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଚାପ ପକାଉଛନ୍ତି । ଆମେରିକା ପାଇଁ ହିଁ ପରସ୍ପରର ଶକ୍ତି ଉତ୍ସ ଉପରେ ୩୦ଦିନ ପର୍ଯ୍ୟନ୍ତ ଆକ୍ରମଣ ନକରିବାକୁ ରାଜି ହୋଇଛନ୍ତି ଦୁଇ ଦେଶ । ତେବେ ଦୁଇ ଦେଶ ମଧ୍ୟରେ ଶାନ୍ତି ବୁଝାମଣା ଆଗକୁ ନବଢିଲେ ଏଥିରୁ ଆମେରିକା ଓହରିଯିବା ନେଇ ଚେତାବନୀ ବି ଦେଇଛି । ଗତ ସପ୍ତାହରେ ପ୍ୟାରିସରେ ଆମେରିକା ଓ ୟୁରୋପୀୟ ଦେଶ ଯୁଦ୍ଧ ବନ୍ଦ କରିବା ନେଇ ଆଲୋଚନା କରିଥିଲେ । ଆଗକୁ ଲଣ୍ଡନରେ ବି ବୈଠକ ହେବ ।
୨୦୨୨ ଫେବ୍ରୁଆରୀରେ ଋଷର ଆକ୍ରମଣ ପରଠୁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇନି । ଋଷରେ ଆଭ୍ୟନ୍ତରୀଣ ସ୍ଥିତି ତଥା କୁଟନୈତିକ ଚାପ ଯୋଗୁଁ ପୁତିନ ଯୁଦ୍ଧ ବିରାମ ଆଲୋଚନା ପାଇଁ ପ୍ରସ୍ତୁତ ହୋଇଥିବା କୁହାଯାଉଛି । ତେବେ ପ୍ରଶ୍ନ ଉଠୁଛି, ଡୋନବାସ ଓ କ୍ରିମିୟା ଛାଡିବାକୁ ରାଜି ହେବ କି ୟୁକ୍ରେନ୍ ? ୨୦୧୪ରେ ୟୁକ୍ରେନ ସହ ଯୁଦ୍ଧରେ କ୍ରିମିୟା ଦଖଲ କରିଥିଲା ଋଷ । ଏହାପରେ ୟୁକ୍ରେନର ଡୋନବାସ ଅସ୍ଥିର ହୋଇଥିଲା । ସେଠାରେ ଥିବା ଋଷ ସମର୍ଥିତ ବିଦ୍ରୋହୀ ୟୁକ୍ରେନ ସେନା ସହ ମୁହାଁମୁହିଁ ହୋଇଥିଲେ । ୨୦୨୨ରେ ପୁଣି ଯୁଦ୍ଧ ହେବା ବେଳେ ଡୋନବାସ ଉପରେ କବଜା କରିଥିଲା ଋଷ । ଏହାସହ ୟୁକ୍ରେନର ଜାପୋରଜ୍ଜିୟା ଓ ଖେରସନ ବି ଦଖଲ କରିଥିଲା । ସେପଟେ ତେବେ ପୁତିନଙ୍କ ପ୍ରସ୍ତାବ ସଂପୂର୍ଣ୍ଣ ଭାବେ ଯୁଦ୍ଧ ବନ୍ଦ କରିବା ପାଇଁ ନା ଋଷର ସ୍ବାର୍ଥ ସୁରକ୍ଷିତ ରଖି ଯୁଦ୍ଧକୁ ନିୟନ୍ତ୍ରଣ କରିବାକୁ ରଣନୀତି, ତାଉପରେ ନଜର ରହିବ ।
Comments are closed.