Latest Odisha News

BREAKING NEWS

ବାଲେଶ୍ୱର, ମୟୂରଭଞ୍ଜରେ ବନ୍ୟା ଅଧିକ ହେବ: ଏସଆରସି

ଭୁବନେଶ୍ୱର: ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି । ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ପାଣିକୁ ସଂରକ୍ଷଣ କରିବାକୁ ଅସମର୍ଥ ହେବା ପରେ ଗାଲୁଡିହି ବ୍ୟାରେଜର ୧୬ଟି ଗେଟ୍‌ ଖୋଲଛି ଝାଡଖଣ୍ଡ ସରକାର । ଏହି ଜଳଭଣ୍ଡାରରୁ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଛି । ଏହି ଗେଟକୁ ସଂଯୋଗ କରୁଛି ସୁବର୍ଣ୍ଣରେଖା ନଦୀ । ତେଣୁ ନଦୀର ଜଳସ୍ତର ବଢିବ ଏବଂ ନଦୀର ଅବବାହିକାରେ ବନ୍ୟା ହେବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ହେବ। ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ ସେ କହିଛନ୍ତି।

ବନ୍ୟାର ମୁକାବିଲା ପାଇଁ ଦୁଇ ଜିଲ୍ଲାର ଜିଲ୍ଲାପାଳ ସତର୍କ ରହିଛନ୍ତି। ନିଜେ ଏସଆରସି ଜିଲ୍ଲାପାଳଙ୍କ ସହ ଯୋଗାଯୋଗରେ ରହିଛନ୍ତି। ବାଲିଆପାଳ, ବସ୍ତା, ଭୋଗରାଇରେ ବନ୍ୟା ହେବ। ଗାଁ ଗୁଡିକରେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ହେବ। ତେଣୁ ୫୮ଟି ଅତିରିକ୍ତ ରେସ୍କ୍ୟୁ ଟିମ୍ ୨ ଜିଲ୍ଲା ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ପଠାଯାଇଛି। ଗାଁ ଗୁଡିକରେ ଲୋକଙ୍କୁ ସ୍ଥାନାନ୍ତର କରିବା ବେଳେ ସାବଧାନର ସହିତ ସ୍ଥାନୀୟ ନୌକାକୁ ବ୍ୟବହାର କରିବାକୁ ଏସଆରସି ସୂଚନା ଦେଇଛନ୍ତି।

୨୦୦୮ ଅପେକ୍ଷା ସୁବର୍ଣ୍ଣରେଖା ଅଵବାହିକାରେ ଅଧିକ ବନ୍ୟା ହେବାକୁ ଯାଉଛି। ତେଣୁ ମନ୍ତ୍ରୀ ପ୍ରତାପ ଦେବଙ୍କୁ ବାଲେଶ୍ୱର ଜିଲ୍ଲାକୁ ପଠାଇଛନ୍ତି ରାଜ୍ୟ ସରକାର। ବାଲେଶ୍ଵର ଜିଲ୍ଲାରେ ଅପରାହ୍ନରୁ ଜଣା ପଡ଼ିବ ବନ୍ୟାର ପ୍ରକୋପ କଣ ରହିବ। ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ପିକ୍ ଫ୍ଲଡ ରହିବ ବୋଲି ଏସଆରସି କହିଛନ୍ତି।

ବାଲେଶ୍ୱର ଜିଲ୍ଲାରେ ନଦୀ ଗୁଡିକର ସ୍ଥିତି

  1. ଜଳକା ମଥାନୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ୫.୫୦ମି. ସତର୍କ ସୂଚନା ରହିଥିବା ବେଳେ ଏବେ ଏଠାରେ ଜଳସ୍ତର ୬.୯୦ ମି. ରହିଛି ।
  2. ବୁଢ଼ାବଳଙ୍ଗରେ ଏବେ ୭.୪୨ ମି. ରହିଛି ଜଳସ୍ତର, ବିପଦ ସଂକେତ ୮.୧୩ ମି ରହିଛି।
  3. ସୁବର୍ଣ୍ଣରେଖାରେ ଜଳସ୍ତର ୭.୯୮ ମି.ରହିଛି, ୧୦.୩୬ ମି. ବିପଦ ସଙ୍କେତ ରହିଛି।
Leave A Reply

Your email address will not be published.