ଭୋପାଳ: ସେନାରେ ଯୋଗ ଦେବେ । ଦେଶ ପାଇଁ ଲଢିବେ । ଆଖିରେ ଥିଲା ଏମିତି କିଛି ସ୍ୱପ୍ନ । ସ୍ୱପ୍ନ ପୂରଣ ପାଇଁ ଲାଗି ପଡିଥିଲେ । ଜୋରଦାର ପ୍ରସ୍ତୁତି କରିଥିଲେ । ହେଲେ ସବୁ ସ୍ୱପ୍ନ ଅଧା ରହିଗଲା । ସେନାରେ ଭର୍ତ୍ତି ହେବା ପୂର୍ବରୁ ଚାଲିଗଲା ଜୀବନ । ଜଣେ ନୁହେଁ, ହାତ ଧରାଧରି ହୋଇ ଚାଲିଗଲେ ଦୁଇ ଭାଇ । ଏମିତି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ।
ଅଗ୍ନିବୀର ରାଲି ପାଇଁ ଯାଇଥିଲେ ଦୁଇଭାଇ । ରାଲିରେ ଦୗଡିବା ପାଇଁ ଡାକରା ଆସିଲା । ହେଲେ ଦୌଡ ଶେଷ ହେଲାନି । ଦୗଡ଼ିବା ସମୟରେ ଚେତାଶୂନ୍ୟ ହୋଇ ପଡିଲେ । ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଦୁଇଭାଇଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ କହିବାନୁସାରେ ଉଭୟଙ୍କର ଲିଭର ଏବଂ କିଡନୀ ଖରାପ ହେବା ସହ ହୃଦପିଣ୍ଡ ଫୁଲି ଯାଇଥିଲା ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ ଦୁଇ ଭାଇ ବେତୁଲର ଅମଲା ତହସିଲ ଅନ୍ତର୍ଗତ ଦିଆମହୁ ଗାଁର ବାସିନ୍ଦା । ଉଭୟେ ଗତ ୩-୪ ବର୍ଷ ହେବ ସେନାରେ ଭର୍ତ୍ତି ହେବା ପାଇଁ ଅଭ୍ୟାସ କରୁଥିଲେ । ୨୯ ଅକ୍ଟୋବରରେ ଭୋପାଳରେ ଅଗ୍ନିବୀର ରାଲିରେ ବଡଭାଇ ରୁପେନ୍ଦ୍ର ଯାଦବ ଦୌଡିବାବେଳେ ଚେତାଶୂନ୍ୟ ହୋଇପଡିଥିଲେ ।ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ୪ ନଭେମ୍ୱରରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସେହିପରି ନଭେମ୍ୱର ୩ରେ ସାନଭାଇ ଅଙ୍କିତ ଯାଦବ ଭୋପାଳରେ ଅଗ୍ନିବୀର ଭର୍ତ୍ତି ରାଲିରେ ଦୌଡିବା ପାଇଁ ଯାଇ ଚେତାଶୂନ୍ୟ ହୋଇପଡିଥିଲେ । ଡାକ୍ତରଖାନାରେ ଭର୍ତ୍ତି କରିବାର ୪ଦିନ ପରେ ଅର୍ଥାତ ୭ ନଭେମ୍ୱରରେ ତାଙ୍କର ମୃତ୍ୟୁ ଘଟିଥିଲା ।
ତେବେ ଦୁଇ ଭାଇଙ୍କ ମୃତ୍ୟୁର କାରଣ ସମାନ ହୋଇଥିବାରୁ ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡାକ୍ତର ଆଶଂଙ୍କା କରୁଛନ୍ତି କି ଅତ୍ୟଧିକ ଷ୍ଟାମିନା ବୁଷ୍ଟର୍ ନେବା ଯୋଗୁଁ ଏପରି ଘଟିଥାଇ ପାରେ ।
Comments are closed.