କେନ୍ଦ୍ରାପଡ଼ା:ସରପଞ୍ଚ ଚାମେଲି ଓଝାଙ୍କ ସହ ଜଡ଼ିତ ବିବାଦ ଏବେ ଜାତୀୟ ମାନବାଧିକାର କମିସନ (National Human Rights Commission (NHRC) ନିକଟରେ ପହଞ୍ଚିଛି । ଘଟଣାର ତଦନ୍ତ ପାଇଁ ଅକ୍ଟୋବର ୫ରେ କେନ୍ଦ୍ରାପଡ଼ାରେ ଏକ ୩ ଜଣିଆ ଟିମ୍ ପହଞ୍ଚିବା ନେଇ ସୂଚନା ମିଳିଛି । ଏନେଇ ଦିଲ୍ଲୀସ୍ଥିତ NHRC କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଏସ୍ପି ଓ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଦିଆଯାଇଥିବା କୁହାଯାଇଛି।
ତେବେ ଘଟଣାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଭେଟି କମିଶନ ପଚରାଉଚରା କରିବେ । ମହାକାଳପଡ଼ା ପୋଲିସ, ବିଡିଓ, ବିଡିଓଙ୍କ କାର୍ଯ୍ୟାଳୟର କର୍ମଚାରୀ, ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ ଓ ଡାକ୍ତରଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି ।
ସୂଚନାନୁସାରେ, ଗତ ଜୁନ୍ ୧୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ସରପଞ୍ଚ ଚାମେଲି ଓଝା ବିଡିଓଙ୍କୁ ଭେଟିବାକୁ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ । ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ତାଙ୍କ ସହ ମାରପିଟ ଓ ଦୁର୍ବ୍ୟବହାର ହୋଇଥିବା ଚାମେଲି ଓଝା ଅଭିଯୋଗ କରିଥିଲେ।
ତେବେ ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣା ଓ ଏହା ସହ ଜଡ଼ିତ ଥାନାରେ ରୁଜୁ ୩ଟି ମାମଲାରେ ଏନଏଚଆରସିଙ୍କ ଟିମ୍ ନିଜର ତଦନ୍ତ କରିବେ ବୋଲି ଜଣାପଡ଼ିଛି। କମିଶନଙ୍କ ନିର୍ଦ୍ଦେଶରେ ଏନଏଚଆରସିର ବରିଷ୍ଠ ଏସପି ଇସାମ ସିଂହ, ଗୁଗନ ରାମ ଓ ଶଶୀବାଲା ଶର୍ମାଙ୍କୁ ନେଇ ଗଠିତ ତଦନ୍ତକାରୀ ଟିମ୍ ଚଳିତମାସ ୫ ତାରିଖ ଅପରାହ୍ନ ୩ଟା ୧୦ରେ ଇଣ୍ଡିଗୋ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସେଠାରୁ ସିଧାସଳଖ କେନ୍ଦ୍ରାପଡ଼ା ଯିବେ। ୯ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଏହି ୩ଜଣିଆ ଟିମ୍ କେନ୍ଦ୍ରାପଡ଼ାରେ ରହି ଚାମେଲି ଓଝାଙ୍କ ସହ ଜଡ଼ିତ ମାମଲାର ସରଜମିନ୍ ତଦନ୍ତ କରିବେ।
ଏବେ NHRCର ୩ ଜଣିଆ ଟିମ୍ର ତଦନ୍ତକୁ ନେଇ ଚର୍ଚ୍ଚା ବଢ଼ିଛି।

