Latest Odisha News

BREAKING NEWS

ଓକିଲଙ୍କ ଉପରେ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ବନ୍ଦ ଡାକରା

କାମାକ୍ଷାନଗର : ଆସନ୍ତାକାଲି କାମାକ୍ଷାନଗର ବନ୍ଦ ଡାକରା ଦେଲା ଓକିଲ ସଂଘ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାର ଆସୋସିଏସନ ପକ୍ଷରୁ ଓକିଲଙ୍କୁ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ପୁରୁଣା କୋର୍ଟ ପରିସରରେ ଏକ ପ୍ରେସମିଟ ଅନୁଷ୍ଠିତ ହୋଇଥିଲା । ଓକିଲ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ପ୍ରେସମିଟରେ ବାର ଆସୋସିଏସନର ସଦସ୍ୟ ମାନେ ଉପସ୍ଥିତ ହୋଇଥିଲେ । ଗତ ମାସ ୨୮ ତାରିଖ ଦିନ କିଛି ଅସାମାଜିକ ଯୁବକ ଓକିଲ ସଂଘର ସଦସ୍ୟ ଶଶିରଞ୍ଜନ ମହାନ୍ତିଙ୍କୁ ଏକ ରେଷ୍ଟୁରାଣ୍ଟରେ ମରଣାତ୍ମକ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ଅବସ୍ଥା  ସଙ୍କଟାପନ୍ନ ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ଆଇସିୟୁରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ତେବେ ଓକିଲଙ୍କ ପ୍ରତି ହୋଇଥିବା ଆକ୍ରମଣକୁ ସ୍ଥାନୀୟ ପୋଲିସର କୌଣସି ପଦକ୍ଷେପ ନନେବା ଓକିଲ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଯାହାକୁ ନେଇ ଆସନ୍ତା କାଲି କାମାକ୍ଷାନଗର ବନ୍ଦ କରିବାକୁ ଓକିଲ ସଂଘ ଡାକରା ଦେଇଛି । ୧୩ ତାରିଖ ଦିନ ସକାଳ ୭ ଟାରୁ ସମସ୍ତ ଦୋକାନ ବଜାର, ଗାଡି ମୋଟର ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିବ ବୋଲି ସଂଘ ନିଷ୍ପତ୍ତି ନେଇଛି। ଏହା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ବୋଲି ଓକିଲ ସଂଘ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.