Latest Odisha News

BREAKING NEWS

‘ବାତ୍ୟା’ ନେଇ କଣ କହିଲେ IMD ଡିଜି ?

ନୂଆଦିଲ୍ଲୀ: ବାତ୍ୟା ଆଶଙ୍କା ଭିତରେ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଆଇଏମଡି ଡିଜି । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତ ଗୁରୁବାରର ପୂର୍ବାନୁମାନ ଅନୁସାରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତାହା କ୍ରମଶଃ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଯାଇ ଦୁର୍ବଳ ହୋଇଯିବ । ଏହାପରେ ଆଉ ଏକ ଘୂର୍ଣ୍ଣିବଳୟ ୧୭ କିମ୍ବା ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ।

ଏହା ମଧ୍ୟ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଅର୍ଥାତ୍ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶର ଦକ୍ଷିଣ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ତେବେ ଏହା ବାତ୍ୟାରେ ପରିଣତି ହେବ କି ନାହିଁ ତାହା ଆଜିର ବିଶ୍ଲେଷଣରୁ ଜଣା ପଡ଼ିନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି । ବାତ୍ୟା ନେଇ ୭ ଦିନ ପୂର୍ବରୁ କରାଯାଉଥିବା ପୂର୍ବାନୁମାନ ସଠିକ୍ ହୋଇଥାଏ । ଆସନ୍ତା ୭ ଦିନ ମଧ୍ୟରେ କୌଣସି ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ନଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଏଥିସହ ପଢ଼ନ୍ତୁ: ‘୭ ଦିନ ପୂର୍ବରୁ ପାଣିପାଗ ଆକଳନ ନୁହେଁ ବିଜ୍ଞାନ ସମ୍ମତ, ବାତ୍ୟା ‘ଗୁଜବ’ ଠାରୁ ଦୂରେଇ…

ତେବେ କୌଣସି ଗୋଟିଏ ମଡେଲର ଆକଳନ ଅନୁସାରେ ବାତ୍ୟାର ପୂର୍ବାନୁମାନ କରାଯାଇ ପାରିବ ନାହିଁ । ଭାରତୀୟ ପାଣିପାଗ ବିଭାଗ ସମସ୍ତ ମଡେଲକୁ ଅନୁଧ୍ୟାନ କରି ସୂଚନା ଦେଇଥାଏ । ବାତ୍ୟା କ୍ଷେତ୍ରରେ ଯେ କୌଣସି ବିକଶିତ ଦେଶ ଠାରୁ ଭାରତର ପୂର୍ବାନୁମାନ ଅଧିକ ଭଲ ଓ ସଠିକ୍ ବୋଲି କହିଛନ୍ତି ଆଇଏମଡି ଡିଜି । ତେଣୁ ଲୋକେ କୌଣସି ଗୁଜବ କିମ୍ବା କୌଣସି ସଂସ୍ଥା ଉପରେ ବିଶ୍ୱାସ ନକରି ପାଣିପାଗ ବିଭାଗ ଉପରେ ଭରସା ରଖନ୍ତୁ ବୋଲି କହିଛନ୍ତି ।

ତେବେ ୧୭ ଓ ୧୮ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ବାତ୍ୟାର ରୂପ ନେବ କି ? ଏହାର ଉତ୍ତରରେ ଆଇଏମଡି ଡିଜି କହିଛନ୍ତି, ଏହାର ବିଶ୍ଲେଷଣ କରାଯାଉଛି । ଆଜିର ବିଶ୍ଲେଷଣ ଅନୁସାରେ, ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ । ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ ହୋଇପାରେ । ତେବେ ୧୭ ତାରିଖ ପରେ କଣ ରୂପରେଖ ରହିବ ତାହା ଏବେ କହିବା ଅସମ୍ଭବ ବୋଲି କହିଛନ୍ତି ଆଇଏମଡି ଡିଜି ।

Leave A Reply

Your email address will not be published.