ଭୁବନେଶ୍ବର: ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇରେ ଏକ ହଜାର ୩୯୬ ଲୋକଙ୍କର ପ୍ରାଣହାନୀ ଘଟିଥିବା ବେଳେ, ଏଥିରେ ୫,୬୦୯ ସଂଖ୍ୟକ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଛି । ଏଥିନିମନ୍ତେ ସରକାରଙ୍କ ଦ୍ବାରା ୬୧୭୪.୬୮ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ବିଧାନସଭାରେ ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ଏହି ମୃତ୍ୟୁ ସଂଖ୍ୟାରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶୀକାର ନିରୋଧକ ଶିବିର, ପକ୍ଷୀ ସୁରକ୍ଷା ଶିବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନ କୌଶଳର ଉପଯୋଗିତା ଦ୍ବାରା ବନ୍ୟପ୍ରାଣୀ ଓ ଶିକାରୀଙ୍କ ଗତିବିଧି ନୀରିକ୍ଷଣ, ଆଣ୍ଟି ପୋଚିଂ ସ୍କ୍ବାଡ୍ ମୁତୟନ ଏବଂ ଜନ ସଚେତନତା ଇତ୍ୟାଦି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।