ପୁରୀ: ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ମୋଟ ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି । ଏହା ଭିତରୁ ୩୮,୦୬୧.୮୯୨ ଏକର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇଛି । ଏହା ବ୍ୟତୀତ ଅନ୍ୟ ୬ ରାଜ୍ୟରେ ମହାପ୍ରଭୁଙ୍କ ନାମରେ ୩୯୫.୨୫୨ ଏକର ଜମି ରହିଛି ବୋଲି ଆଜି ବିଧାନସଭା ଅଧିବେଶନରେ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଏସଂକ୍ରାନ୍ତ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ତେବେ ଆଇନ ମନ୍ତ୍ରୀଙ୍କ ଏହି ତଥ୍ୟକୁ ନଜର କଲେ ୨୦୨୨ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ଼ ଜମିର ପରିମାଣ ଯେତିକି ଥିଲା, ୨୦୨୫ରେ ବି ସେତିକି ଅଛି । ଅର୍ଥାତ୍, ୨୬ ନଭେମ୍ବର ୨୦୨୨ରେ ତତ୍କାଳୀନ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ତଥ୍ୟ ରଖିଥିଲେ ଯେ ରାଜ୍ୟର ୨୪ ଜିଲ୍ଲାରେ ମହାପ୍ରଭୁଙ୍କ ନାମରେ ମୋଟ ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି । ଯେତେବେଳେ କି ୩୮,୦୬୧.୮୯୨ ଏକର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇଛି । ସେହିପରି ୬ ରାଜ୍ୟରେ ମହାପ୍ରଭୁଙ୍କ ନାମରେ ୩୯୫.୨୫୨ ଏକର ଜମି ରହିଛି ।
ତେବେ ଗତ ରେକର୍ଡ ଓ ଏବେର ରେକର୍ଡକୁ ଦେଖିବାକୁ ଗଲେ ୩ ବର୍ଷ ଭିତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକୁ ଗୋଟେବି ଜମି ଆସିନି । ମହାପ୍ରଭୁଙ୍କ ନାମରେ ଜମି ରେକର୍ଡ ପରେ ଏଠାରେ ଥିବା ଜବରଦଖଲ ହଟାଇବା ନିମନ୍ତେ ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ ୧୯୫୫ର ୧୬-ଏ(୧) ଅନୁଯାୟୀ ମାମଲା କରାଯାଉଛି । ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ ଏନ୍କ୍ଲୋଚମେଣ୍ଟ ଆକ୍ଟ-୧୯୭୨ ଅନୁଯାୟୀ ଜବରଦଖଲ ହଟାଇବାକୁ ପଦକ୍ଷେପ ନିଆଯାଉଛି । ଏହାସତ୍ତ୍ବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଚିହ୍ନଟ ଜମିକୁ ମହାପ୍ରଭୁଙ୍କ ନାମରେ ରେକର୍ଡ ହୋଇପାରୁନାହିଁ ।