ଭୁବନେଶ୍ୱର: ରାୟଗଡା ଜିଲ୍ଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଭାଇଭଉଣୀ ମାନଙ୍କ ଉପରେ ପ୍ରଶାସନର ଯେଉଁ ବର୍ବରୋଚିତ କାଣ୍ଡ ଘଟଣାକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିଛି । ଏହି ଘଟଣା ସମ୍ପୂର୍ଣ୍ଣ ଅମାନବୀୟ ବୋଲି ବର୍ଣ୍ଣନା କରିବା ସହିତ ଆଦିବାସୀ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଦେଶର ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛି ବିଜେଡି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ରାୟଗଡା ଜିଲ୍ଲା ସଭାପତି ଜଗନ୍ନାଥ ସାରକା, କୋରାପୁଟ ଜିଲ୍ଲା ସଭାପତି ଝିନ୍ନ ହିକକା ଓ ଗଣମାଧ୍ୟମ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ ସିଜିମାଳି ଅଞ୍ଚଳରେ ଆଦିବାସୀ ମାନଙ୍କ ଉପରେ ପ୍ରଶାସନ ଦ୍ୱାରା କରାଯାଇଥିବା ଅମାନବୀୟ ଓ ବର୍ବରୋଚିତ କାଣ୍ଡ ରାଜ୍ୟ ବିଜେପି ସରକାରଙ୍କ ଆଦିବାସୀ ବିରୋଧୀ ନୀତିକୁ ପ୍ରଦର୍ଷିତ କରୁଛି ବୋଲି ଅଭିଯୋଗ କରିଥିଲେ ।
ଜଗନ୍ନାଥ ସାରକା କହିଥିଲେ, ସିଜିମାଳିରେ ଆଦିବାସୀ ମାନଙ୍କ ଉପରେ ଘଟିଥିବା ଅତ୍ୟାଚାର ଓ ଜୁଲୁମ ବିଷୟରେ ଜାଣିବା ପରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳ ପରିଦର୍ଶନ କରି ଏଥିରେ ପ୍ରଭାବିତ ହୋଇଥିବା ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ । ସଭାପତିଙ୍କ ନିର୍ଦ୍ଦେଶକ୍ରମେ, ଦଳର ଏକ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।
ସ୍ଥାନୀୟ ବାସିନ୍ଦା ମାନଙ୍କ କହିବା ଅନୁଯାୟୀ, ମାଇନ୍ସ କମ୍ପାନୀ ଦ୍ୱାରା ନିର୍ମିତ ହେଉଥିବା ରାସ୍ତାକୁ ନେଇ ସେମାନେ ପ୍ରତିବାଦ କରୁଥିଲେ । ପ୍ରଶାସନ ତରଫରୁ ସେମାନଙ୍କ ଉପରେ ଅତ୍ୟାଚାର ଓ ଜୁଲୁମ କରାଯାଇଥିଲା । ଆଦିବାସୀ ଭାଇ ଭଉଣୀ ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ଜୁଲୁମକୁ ଆମେ ତୀବ୍ର ନିନ୍ଦା କରୁଛୁ । ସ୍ଥାନୀୟ ଆଦିବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ସେମାନଙ୍କ ଉପରେ ଅତ୍ୟାଚାର ଓ ଜୁଲୁମ କରି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ନାହିଁ । ତେଣୁ ଆଦିବାସୀ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ନିୟମ ହିସାବରେ ଗ୍ରାମସଭା ଆୟୋଜନ କରି ଆବଶ୍ୟକୀୟ ଅନୁମୋଦନ ପ୍ରଦାନ କରାଯାଉ ।
ଝିନ୍ନ ହିକକା କହିଥିଲେ, ସିଜିମାଳିରେ ଆଦିବାସୀ ଭାଇ ଭଉଣୀ ମାନଙ୍କ ଉପରେ ଯେଉଁଭଳି ଭାବେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ବର୍ବର କାଣ୍ଡ ଘଟାଯାଇଛି, ତାହା କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ସ୍ଥାନୀୟ ଅଞ୍ଚଳରେ ଖଣି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ମାନେ ପେସା ଆଇନ ଓ ଜଙ୍ଗଲ ଆଇନ ଉଲ୍ଲଙ୍ଘନ ହେଉଥିବା ଦାବି କରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇ ଆସୁଥିଲେ । କିନ୍ତୁ ବିଳମ୍ୱିତ ରାତିରେ ସମସ୍ତେ ଶୋଇଥବା ସମୟରେ, ବିଜୁଳି ଲାଇନ କାଟି ଦେଇ ପ୍ରସାଶନ ଯେଭଳି ଭାବେ ନିରୀହ ଆଦିବାସୀ ଭାଇ ଭଉଣୀ ମାନଙ୍କ ଉପରେ ବର୍ବରୋଚିତ ଆକ୍ରମଣ କଲା, ତାହା ରାଜ୍ୟ ବିଜେପି ସରକାରଙ୍କ ଆଦିବାସୀ ବିରୋଧୀ ନୀତିକୁ ପ୍ରଦର୍ଷିତ କରୁଛି ।
ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଜଣେ ଆଦିବାସୀ ଅଛନ୍ତି । ଦେଶର ରାଷ୍ଟ୍ରପତି ଦାୟିତ୍ୱରେ ଆମ ରାଜ୍ୟର ଜଣେ ଆଦିବାସୀ ଭଉଣୀ ଅଛନ୍ତି । ସିଜିମାଳିରେ ଆଦିବାସୀ ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ଜୁଲୁମ ଉପରେ ନ୍ୟାୟ ପ୍ରଦାନ ପାଇଁ ଆମେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡୁଛୁ ।