Latest Odisha News

BREAKING NEWS

ବାକ୍ ଯୁଦ୍ଧ ପରେ ଭିଡିଓ ଜାରି କରି କୃତଜ୍ଞତା ଜଣାଇଲେ ଜେଲେନସ୍କି: କହିଲେ, ‘ଆମେରିକାର ଗୁରୁତ୍ବ ବୁଝନ୍ତି’

ନୂଆଦିଲ୍ଲୀ: ଓଭାଲ ଅଫିସରେ ଟ୍ରମ୍ପ- ଜେଲେନସ୍କି ବାକ୍ ଯୁଦ୍ଧର ଦୁଇ ଦିନ ପରେ ଭିଡିଓ ଜାରି କରି ଆମେରିକା ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ରୁଷ ବିରୁଦ୍ଧରେ ଯୁଦ୍ଧରେ ଆମେରିକାର ନିରନ୍ତର ସମର୍ଥନ ପାଇଁ ତାଙ୍କର ପ୍ରଶଂସା କରିଛନ୍ତି । ଏନେଇ ନିଜ ଏକ୍ସରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଜେଲେନସ୍କି । ତେବେ ହ୍ବାଇଟ ହାଉସରେ ଜେଲେନସ୍କିଙ୍କୁ, ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଅକୃତଜ୍ଞ ବୋଲି ଆଖ୍ୟା କରିବା ପରେ କିଛି ଏପରି ବାର୍ତ୍ତା ଜାରି କରିଛନ୍ତି ଜେଲେନସ୍କି ।

ଯେଉଁଥିରେ ଜେଲେନସ୍କି, ଆମେରିକୀୟ ସହାୟତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । କିପରି ରୁଷ୍ ବିରୁଦ୍ଧରେ ଆମେରିକା ନିରନ୍ତର ସୁରକ୍ଷା ଯୋଗାଇଛି, ତାକୁ ଆଲୋକପାତ କରିଛନ୍ତି । କହିଛନ୍ତି, ନିଶ୍ଚିତ ଭାବରେ, ଆମେ ଆମେରିକାର ଗୁରୁତ୍ୱ ବୁଝୁଛୁ । ଆମେ ଆମେରିକାଠାରୁ ପାଇଥିବା ସମସ୍ତ ସମର୍ଥନ ପାଇଁ କୃତଜ୍ଞ । ଏପରି କୌଣସି ଦିନ ନାହିଁ, ଯେତେବେଳେ ଆମେ କୃତଜ୍ଞତା ଅନୁଭବ କରିନାହୁଁ । ଏହା ଆମର ସ୍ୱାଧୀନତାର ସଂରକ୍ଷଣ ପାଇଁ କୃତଜ୍ଞତା । ୟୁକ୍ରେନରେ ଆମର ସ୍ଥିରତା ଆମର ଅଂଶୀଦାରମାନେ ଆମ ପାଇଁ କ’ଣ କରୁଛନ୍ତି, ଏବଂ ସେମାନଙ୍କ ନିଜସ୍ୱ ସୁରକ୍ଷା ପାଇଁ ଯାହା ଯାହା କରିଛନ୍ତି, ସେଥିପାଇଁ ଆମେ ସବୁ ବେଳେ କୃତଜ୍ଞ ବୋଲି କହିଛନ୍ତି ଜେଲେନସ୍କି ।

ତେବେ ଗତ ଫେବୃଆରୀ ୨୮ ତାରିଖ ରାତିରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଏକ ଉତ୍ତେଜନାପୂର୍ଣ୍ଣ ବୈଠକ ପରେ ଆଜି କିଛି ଏପରି ବାର୍ତ୍ତା ଜାରି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।  ଯେଉଁଥିରେ, ଦୁଇ ଆମେରିକୀୟ ନେତା ଆମେରିକାର ସାହାଯ୍ୟ ପାଇଁ ୟୁକ୍ରେନ୍ ଯଥେଷ୍ଟ ପ୍ରଶଂସା ନ ଦେଖାଇବା ପାଇଁ ତାଙ୍କୁ ନିନ୍ଦା କରିଥିଲେ । ଯୁଦ୍ଧ ସମାଧାନ ପାଇଁ ଭାନ୍ସ ରୁଷ ସହିତ କୂଟନୈତିକ ଆଲୋଚନା ପାଇଁ ଜୋର ଦେବା ପରେ ଏହି ବାକ୍ ଯୁଦ୍ଧ ଅଧିକ ବଢିଥିଲା । ଯାହାକୁ ଜେଲେନସ୍କି ଖାରଜ କରିଦେଇଥିଲେ । ଏହା ପରେ ଭାନ୍ସ ଏହା ଆମେରିକା ପ୍ରତି ଅପମାନ ବୋଲି କହିଥିଲେ । ଏହାପରେ ରାଷ୍ଟ୍ରପତି ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ରାଷ୍ଟ୍ରପତି ଜେଲେନସ୍କି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଏକ ପ୍ରକାର ଘୃଣା ରଖୁଛନ୍ତି, ଯାହା ଫଳରେ ତାଙ୍କ ପାଇଁ ଚୁକ୍ତି କରିବା କଷ୍ଟକର ହୋଇପଡିଛି । ଏହାର ଜବାବରେ ଜେଲେନସ୍କି ରାଷ୍ଟ୍ରପତି ଟ୍ରମ୍ପଙ୍କୁ, ଯେ ଯୁଦ୍ଧର ସମାଧାନ ପାଇଁ ଆଲୋଚନା କରିବାରେ ପୁଟିନଙ୍କ ସହ କୌଣସି ବୁଝାମଣା ହେବା ଉଚିତ ନୁହେଁ ବୋଲି କହିଥିଲେ ।

ଯାହାର ଜବାବରେ ରାଷ୍ଟ୍ରପତି ଟ୍ରମ୍ପ ଜେଲେନସ୍କିଙ୍କ ଉପରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଇଥିବା ଅଭିଯୋଗ ଆଣିଥିଲେ ଏବଂ ଚେତାବନୀ ଦେଇଥିଲେ, ଯେ ତାଙ୍କ କାର୍ଯ୍ୟ ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ । ଏହାର ଜବାବରେ ଜେଲେନସ୍କି ଆମେରିକା ସହ ଏକ ଗୁରୁତ୍ବପୂର୍ଣ୍ଣ ଖଣିଜ ଚୁକ୍ତି ସ୍ୱାକ୍ଷର ନକରି ହଠାତ୍ ହ୍ୱାଇଟ୍ ହାଉସ୍ ଛାଡ଼ି ଚାଲିଯାଇଥିଲେ । ଯାହାକୁ ନେଇ ଆମେରିକା, ଜେଲେନସ୍କି କ୍ଷମା ମାଗନ୍ତୁ ବୋଲି ଦାବି ରଖିଥିଲା ।

କିନ୍ତୁ  ଆମେରିକା ଏବଂ ୟୁକ୍ରେନ୍ ବୈଠକଟି ବିଶୃଙ୍ଖଳାରେ ଶେଷ ହେବା ପରେ ଲଣ୍ଡନରେ ଏକ ଉଚ୍ଚ-ପ୍ରୋଫାଇଲ୍ ସୁରକ୍ଷା ସମ୍ମିଳନୀରେ ଯୋଗ ଦେଇଥିଲେ ଜେଲେନସ୍କି । ଯେଉଁଠାରେ ୟୁକେ ପ୍ରଧାନମନ୍ତ୍ରୀ କାଇର୍ ଷ୍ଟାରମର, ଫ୍ରାନ୍ସର ଇମାନୁଏଲ ମାକ୍ରନ, କାନାଡାର ଜଷ୍ଟିନ୍ ଟ୍ରୁଡୋ ଏବଂ ଇଟାଲୀର ଜିଓର୍ଜିଆ ମେଲୋନିଙ୍କ ସମେତ ବିଶ୍ୱ ନେତାମାନେ ୟୁକ୍ରେନକୁ ସମର୍ଥନ କରିବା ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ । ସମସ୍ତେ ମୁଖ୍ୟ ପ୍ରସଙ୍ଗରେ ଏକଜୁଟ, ବାସ୍ତବ ଶାନ୍ତି, ଆମକୁ ପ୍ରକୃତ ସୁରକ୍ଷା ଗ୍ୟାରେଣ୍ଟି ଆବଶ୍ୟକ ବୋଲି ମତ ରଖିଥିଲେ ଜେଲେନସ୍କି । ଆଉ ୟୁକେ ଏବଂ ତୁର୍କୀ ସହିତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନର ମତାମତ ସହଭାଗୀ ହୋଇଥିବା ଉପରେ ଜୋର ଦେଇଥିଲେ । ଏହି ସମ୍ମିଳନୀରୁ ଫେରିବା ପରେ ପରେ କିଛି ଏପରି ମନ୍ତବ୍ୟ ରଖିଛନ୍ତି ଜେଲେନସ୍କି ।

ତେବେ ଦେଖାଯାଉ ଜେଲେନସ୍କିଙ୍କ ଏହି ପଦକ୍ଷେପକୁ କିରି ଗ୍ରହଣ କରୁଛି ଆମେରିକା ?

Comments are closed.