Latest Odisha News

କଂଗ୍ରେସ ନେତ୍ରୀଙ୍କ ହତ୍ୟା ପଛରେ ପ୍ରେମିକ: ମାନିଲା ସବୁ ସତ

ରୋହତକ: ହରିୟାଣା କଂଗ୍ରେସ ନେତ୍ରୀ ହିମାନୀ ନରଓ୍ବାଲଙ୍କୁ ମାରିକି ସୁଟକେସରେ  ଫୋପାଡିବା ଘଟଣା, ହତ୍ୟାକାଣ୍ଡର ଦୁଇ ଦିନ ପରେ ଧରାପଡିଲା ଅଭିଯୁକ୍ତ । ଅଭିଯୁକ୍ତ ସଚିନ୍ ହିମାନୀଙ୍କ ପ୍ରେମିକ ବୋଲି ଦାବି କରିଛି। ସେମାନେ ବହୁତ ଦିନ ଧରି ସମ୍ପର୍କରେ ଥିଲେ। ରୋହତକର ଏକ ବସ୍ ଷ୍ଟାଣ୍ଡ ନିକଟରେ ହିମାନୀଙ୍କ ମୃତଦେହ ଏକ ସୁଟକେସରେ ଭର୍ତ୍ତି ହୋଇ ମିଳିବାର ଦୁଇ ଦିନ ପରେ ଆଜି ସଚିନଙ୍କୁ ଦିଲ୍ଲୀରୁ ଗିରଫ କରିଛି ପୋଲିସ୍ ।

ହରିୟାଣା କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ସଚିନ୍ ନିଜ ଅପରାଧ ସ୍ୱୀକାର କରିଛି  । ପଚରାଉଚରା ସମୟରେ ସେ ପୋଲିସକୁ କହିଛି ଯେ, ହିମାନୀଙ୍କ ସହ ତାର ବହୁତ ଦିନ ସଂପର୍କ ରହିଥିଲା । ଆଉ ହିମାନୀ ତାଙ୍କ ଠାରୁ ଲକ୍ଷେ ଲକ୍ଷେ ଟଙ୍କା ଆଦାୟ କରୁଥିଲେ । ତାଙ୍କୁ ବ୍ଲାକମେଲ୍ ମଧ୍ୟ କରୁଥିଲେ ବୋଲି ପୋଲିସଙ୍କୁ ଅଭିଯୋଗ କରିଛି ଅଭିଯୁକ୍ତ ସଚିନ୍ । ଫଳରେ ସେ ହତାଶ ହୋଇ ଶେଷରେ ରୋହତକରେ ତାଙ୍କ ନିଜ ଘରେ ହିମାନୀଙ୍କୁ ହତ୍ୟା କରିଥିଲେ । ପରେ ହିମାନୀଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ବସ୍ ଷ୍ଟାଣ୍ଡରେ ଛାଡି ଦେଇଥିଲା ।

ତେବେ କଂଗ୍ରେସ ନେତ୍ରୀ ହିମାନୀ ନରଓ୍ବାଲ୍, ରୋହତକର ବିଜୟନଗରର ବାସିନ୍ଦା ହୋଇଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମୟରେ ତାଙ୍କ ସହିତ ବୁଲିବାର ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚାରେ ଆସିଥିଲେ । ଆଉ ଗତକାଲି ତାଙ୍କର ମୃତ ଦେହ ରୋହତକର ଏକ ବସ୍ ଷ୍ଟାଣ୍ଡରେ ପଡିଥିବା ସୁଟକେସ୍ ଭିତରୁ ମିଳିଥିଲା ।

ସେପଟେ, ହିମାନୀଙ୍କ ପରିବାର ତାଙ୍କ ହତ୍ୟାକାରୀମାନେ ଗିରଫ ନହେବା ପର୍ଯ୍ୟନ୍ତ ତାଙ୍କ ମୃତଦେହକୁ ଦାହ କରିବାକୁ ଗତକାଲି ମନା କରିଦେଇଥିଲେ । ଆଉ ପରେ ସନ୍ଦିଗ୍ଧଙ୍କୁ ଗିରଫ କରିବା ପରେ, ହିମାନୀଙ୍କ ପରିବାର ମୃତ୍ୟୁଦଣ୍ଡ ଦାବି କରିଥିଲେ । ଯାହାକୁ ନେଇ ହିମାନୀଙ୍କ ଭାଇ କହିଛନ୍ତି, ପୋଲିସ ପାଖରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେଣୁ ଆଜି ଆମେ ହିମାନୀଙ୍କ ଶବଦାହ କରିବୁ । ଗଣମାଧ୍ୟମରେ ଅନେକ ଗୁଜବ ପ୍ରସାରିତ ହେଉଛି । ଏଗୁଡିକ ଯେତେବେଳ ଯାଏଁ ସତ୍ୟ ବୋଲି ପ୍ରମାଣ ନହୋଇଛି, ସେ ପର୍ଯ୍ୟନ୍ତ ଏହାକୁ ଅଧିକ ପ୍ରସାରିତ କରିବା ଉଚିତ୍ ନୁହେଁ । ଆମେ ନ୍ୟାୟ ପାଇବୁ । ଆମେ ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଚାହୁଁଛୁ ବୋଲି ହିମାନୀଙ୍କ ଭାଇ ଦାବି କରିଛନ୍ତି ।

Comments are closed.