ଗୁଡ୍ ନିଉଜ୍: ଦେଶରେ ଯେତିକି, ଓଡ଼ିଶାରେ କୋଭିଡ୍ ସୁସ୍ଥହାର ସେତିକି
ଭୁବନେଶ୍ୱର: କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ । ମହାମାରୀ ମହାସଂକଟ ଠିଆ କରିଛି । କରୋନା କାଳରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି । ହାରୁଛି କରୋନା । ଦେଶ ଓ ରାଜ୍ୟରେ ବଢୁଛି ସୁସ୍ଥଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶ ଓ ରାଜ୍ୟରେ ୭୭.୭୭% ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି ।
ଦେଶରେ ୭୭.୭୭% ସୁସ୍ଥ
ସାରା ଭାତରରେ କୋଭିଡ୍ ପଜିଟିଭ୍ କେସ୍ ୪୩ ଲକ୍ଷ ପାର କରିଛି । ଏବେ ପ୍ରତିଦିନ ୮୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୯ । କିନ୍ତୁ ସୁସ୍ଥ ହେଲେଣି ୩୩ ଲକ୍ଷ ୯୮ ହଜାର ୮୪୫ ସଂକ୍ରମିତ । ଅର୍ଥାତ ସୁସ୍ଥ ହାର ୭୭.୭୭% । ମୃତ୍ୟୁହାର ୧.୬୯%କୁ ଖସିଛି ।
ଓଡ଼ିଶାରେ ସୁସ୍ଥହାର ୭୭.୭୭%
ଏପଟେ ଓଡ଼ିଶାରେ ବି ସୁସ୍ଥଙ୍କ ସଂଖ୍ୟା କ୍ରମାଗତ ବଢି ଚାଲିଛି । ଲକ୍ଷେରୁ ଅଧିକ ଆକ୍ରାନ୍ତ କରୋନା ସହ ଲଢିା ବିଜୟୀ ହୋଇଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ମୋଟ୍ ୧ ଲକ୍ଷ ୨ ହଜାର ୧୮୫ ଜଣ ଆରୋଗ୍ୟ ଲାଭ କରିଥିଲେ । ରାଜ୍ୟରେ ସୁସ୍ଥତା ହାର ବି ୭୭.୭୭% ରହିଛି ।
ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯଦିଓ ଚିନ୍ତାଜନକ ପ୍ରସଙ୍ଗ, ତଥାପି ସୁସ୍ଥହାର ବଢୁଥିବାରୁ ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଅଧିକ ଟେଷ୍ଟ ହେଉଥିବାରୁ ଆକ୍ରାନ୍ତ ଚିହ୍ନଟ ହୋଇ ପାରୁଛନ୍ତି । ଅଧିକ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଯୋଗୁ ବଢୁଛି ସୁସ୍ଥ ହାର ।