Latest Odisha News

BREAKING NEWS

ପ୍ରବଳ ବର୍ଷା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୁରୁପ୍ରୀୟା ସେତୁ ଉଦଘାଟନ ସ୍ଥଗିତ ହେଲା

ମାଲକାନଗିରି : ଓଡ଼ିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ ନବନିର୍ମିତ ଗୁରୁପ୍ରୀୟା ସେତୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜୁଲାଇ ୧୮ ତାରିଖ ଦିନ ଉଦଘାଟିତ ହେବାକୁ ଥିଲା । କିନ୍ତୁ ପ୍ରତିକୂଳ ପାଗ ତଥା ପ୍ରବଳ ବର୍ଷା ଯୋଗୁଁ ଏହି ଉଦଘାଟନ କାର୍ଯ୍ୟକ୍ରମ ସ୍ଥଗିତ ରହିଲା ବୋଲି ସ୍ଥାନୀୟ ପ୍ରଶାସନ ସୂତ୍ରରୁ ପ୍ରକାଶ ।

ତେବେ ପାଗ ଅନୁକୂଳ ହେଲେ ଉଦଘାଟନ ତାରିଖ ଧାର୍ଯ୍ୟ ହୋଇ ଘୋଷଣା କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ଆଇଟି ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ତଥା ବିଭାଗୀୟ ସଚିବ ନଳିନୀ କାନ୍ତ ପ୍ରଧାନ ଚିତ୍ରକୋଣ୍ଡାରେ ଗତ ତିନିଦିନ ହେଲା ରହିଥିଲେ ।

ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ହେଲା ପ୍ରବଳ ବର୍ଷା ଲାଗିରହିଛି । ଜିଲ୍ଲାରେ ଆନୁପାତିକ ୪୯.୯୪ ମିମି ଠାରୁ ଅଧିକ ବୃଷ୍ଟିପାତ ରେକର୍ଡ଼ କରାଯାଇଛି । ଜିଲ୍ଲାର ମାଥିଲି ବ୍ଲକରେ ୬୮ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି ।

ସୂଚନାଯୋଗ୍ୟ, ଏଥିମଧ୍ୟରେ ଗୁରୁପ୍ରୀୟା ସେତୁର ସମସ୍ତ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଥିବା ବେଳେ ୯୧୦ ମିଟର ଲମ୍ବ ବିଶିଷ୍ଟ ସେତୁଟିର ଥାର୍ଡ଼ପାର୍ଟି ଅଡ଼ିଟ କାର୍ଯ୍ୟ ସେଣ୍ଟ୍ରାଲ ରୋଡ଼ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ୭ ଜଣିଆ ଦଳ ଦ୍ୱାରା ଶେଷ ହୋଇଛି ।

ଏହି ସେତୁଟି କଲିକତାର ରୟାଲ ଇନଫ୍ରାଷ୍ଟ୍ରକ୍ଚର ଲିଃ କମ୍ପାନୀ ଦ୍ୱାରା ପ୍ରାୟ ୧୭୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ସୂଚନା ମିଳିଛି । ତେବେ ରାଜ୍ୟ ସରକାରଙ୍କ ରାଜ୍ୟ ୱାର୍କ୍ସ ଡ଼ିପାର୍ଟମେଣ୍ଟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିର୍ମିତ ହୋଇଛି ଏହି ଗୁରୁପ୍ରୀୟା ସେତୁ । ୨୦୧୪ ମସିହାରେ ବିଏସଏଫ ଜବାନଙ୍କ ସୁରକ୍ଷା ବଳୟ ମଧ୍ୟରେ ଏହି ସେତୁ କାର୍ଯ୍ୟ ସମାପ୍ତ ହୋଇଛି ।

ଏହି ସେତୁଟି ଜିଲ୍ଲାର ୭ଟି ଦୂର୍ଗମ ପଞ୍ଚାୟତର ୧୫୧ଟି ଗ୍ରାମକୁ ସଂଯୁକ୍ତ କରିପାରିବ ଏବଂ ଏହି ସେତୁ କାର୍ଯ୍ୟକ୍ଷମ ହେଲେ ପ୍ରାୟ ୩୦ ହଜାର ଜନସାଧାରଣ ଉପକୃତ ହୋଇପାରିବେ ।

Leave A Reply

Your email address will not be published.