Latest Odisha News

ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପଣ

ଖୋର୍ଦ୍ଧା : ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପଣ ।   କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ଏହା ସହ  ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସର ଏଲଏଚବି କୋଚ୍ ଓ ଭୁବନେଶ୍ୱର-ଆନନ୍ଦବିହାର ଦୁରୋନ୍ତ ଏକ୍ସପ୍ରେସର ଉଦଘାଟନ କରିବା ସହ ସେହି ସ୍ଥାନରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭୁବନେଶ୍ୱର ସ୍ଥିତ ପଟିଆ ଓ ବାଣୀବିହାର ପିଏଚର ନୂଆ ବିଲଡ଼ିଂର ଲୋକାର୍ପଣ କରିଥିଲେ । ରଥଯାତ୍ରା ଭଳି ଏକ ଶୁଭ ଅବସରରେ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ରେଳ ମନ୍ତ୍ରୀ ଏବଂ ରେଳ ବିଭାଗକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ରେଳ ମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ କାମ କ୍ଷୀପ୍ର ଗତିରେ ଆଗକୁ ବଢ଼ୁଛି । ମୋଦି ସରକାର ୨୦୨୨-୨୩ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ରାଜ୍ୟକୁ ରେଳ କ୍ଷେତ୍ରରେ ୯,୭୩୪ କୋଟି ଟଙ୍କା ସର୍ବକାଳୀନ ସର୍ବାଧିକ ଅର୍ଥ ଦେଇଛନ୍ତି । ଆଉ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ପାଇଁ ଦାବୀ କରିବାକୁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ । ମୋଦି ସରକାର ଆଶାରୁ ଅଧିକ ରେଳ ଅନୁଦାନ ଦେଉଛନ୍ତି । ଆଜି ଟ୍ରେନ ଗୁଡ଼ିକର ରୂପ ବଦଳୁଛି । ଓଡ଼ିଶାରେ ରାଜଧାନୀ ଏକ୍ସପ୍ରେସ ଭଳି ଅନେକ ରେଳ କୋଚ ଗୁଡ଼ିକୁ ପରିବର୍ତ୍ତନ କରାଯାଉଛି । ରେଳ ଷ୍ଟେସନର ଉନ୍ନତିକରଣ, ନୂଆ ରେଳ ଲାଇନ ହେଉଛି ।

ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା –ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାମ ଶୀଘ୍ର ଶେଷ କରିବାକୁ ଯୋଜନା କରାଯାଉଛି । ଏହି କାମ ସମ୍ପୂର୍ଣ୍ଣ ହେଲେ ସବୁଠୁ ଲାଭ କନ୍ଧମାଳ, ଫୁଲବାଣୀ ଓ ଦାରିଙ୍ଗବାଡ଼ି ପାଇବ । ଓଡ଼ିଶାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡ଼ି ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ରହିପାରିବ । ଅପରପକ୍ଷରେ  ଓଡ଼ିଶା ସମେତ ଭାରତବର୍ଷରେ ରେଳ, ରାସ୍ତା ସମେତ ବିଭିନ୍ନ କ୍ଷେତ୍ରରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର ସାରିବା ଓ ଅନୁମତି ମିଳିବା ପାଇଁ ପ୍ରଧାନମନ୍ତ୍ରୀ ‘ଗତି ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସମ୍ମତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.