Latest Odisha News

BREAKING NEWS

ଛାତ୍ରୀଙ୍କୁ ଅସଦଚାରଣ ଅଭିଯୋଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଗିରଫ

ବ୍ରହ୍ମପୁର:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମାମଲାରେ ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକଙ୍କୁ ଗୋପାଳପୁର ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

ଅଭିଯୋଗ ଅନୁଯାୟୀ ଗତ ମେ ୨୧ତାରିଖ ଦିନ ଓଡିଆ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀଙ୍କୁ କିଛି ବହି ଦେବା ସହ ପାଠ ଆଲୋଚନା ପାଇଁ ସନ୍ଧ୍ୟା ୪:୩୦ସମୟରେ ପ୍ରଫେସର ନାୟକ ରହୁଥିବା କ୍ୱାର୍ଟରକୁ ଡାକିଥିଲେ। ଛାତ୍ରୀ ଜଣକ କ୍ୱାର୍ଟରକୁ ଯାଇଥିଲେ । କିନ୍ତୁ କିଛି ସମୟ ପରେ ପ୍ରଫେସର ନାୟକ ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ।

ଛାତ୍ରୀ ଜଣଙ୍କ କୌଶଳ କ୍ରମେ ସେଠାରୁ ପଳାଇ ଆସିବାକୁ ସକ୍ଷମ ହୋଇଥିଲେ। ଘଟଣା ପରେ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ କିମ୍ବା କୌଣସି ସହପାଠୀଙ୍କୁ ଏହି ବିଷୟରେ ଜଣାଇ ନ ଥିଲେ । ଘଟଣା ପରଠାରୁ କିଛି ଦିନ ହେଲା ମାନସିକ ଚାପରେ ରହୁଥିଲେ। ଗୁରୁବାର ଗୋପାଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପ୍ରକାରେ ପୁଲିସ କେସ ନଂ ୧୨୪/୨୨ରେ ଏକ ମାମଲା ରୁଜୁ କରି ପ୍ରଫେସର ନାୟକଙ୍କୁ ପଚରାଉଚରା କରିଥିଲେ । ଡ଼ିଏସପି କଳ୍ପନା କହଁର ଏବଂ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ତଦନ୍ତ କରିଥିଲେ । ତଦନ୍ତ ପରେ ପୁଲିସ ଅସଦାଚରଣ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଫେସର ସଦାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ସୂଚନା ଦେଇଛନ୍ତି ।

ଏହି ଭଳି ଘଟଣା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ​‌ରେ ପ୍ରଥମ ବୋଲି ଜଣାପଡିଛି।

ଅପରପକ୍ଷେ ପ୍ରଫେସର ନାୟକଙ୍କୁ ବୁଧବାର ରାତିରେ ଦୁଇଜଣ ଛାତ୍ର ତାଙ୍କ କ୍ବାର୍ଟରରେ ପସି ଆକ୍ରମଣ କରିଥିଲେ । ଉପରୋକ୍ତ ଘଟଣାକୁ ନେଇ ଛାତ୍ର ଦ୍ବୟ ପ୍ରଫେସର ନାୟକଙ୍କୁ ଆକ୍ରମଣ କରିଥିବା କୁହାଯାଉଛି । ସେ ଏନେଇ ଗୋପାଳପୁର ଥାନାରେ ଏକ ଏତଲା ଦେଇଥିଲେ । ପୁଲିସ ଏହି ଅଭିଯୋଗରେ ଭିତ୍ତିକରି ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଶେଷ ବର୍ଷର ଦୁଇ ଛାତ୍ର ଦିନେଶ ପାଢ଼ୀ ଓ ହୃଷିକେଶ ବାଡତିୟାଙ୍କୁ ଗିରଫ କରିଛି

Leave A Reply

Your email address will not be published.