Latest Odisha News

BREAKING NEWS

ଟଙ୍କା ଗଣି ଗଣି ହାଲିଆ ହେଲାଣି ଆଇଟି ବିଭାଗ, ୩୦୦ କୋଟି ପାର କରିବା ଆଶଙ୍କା

ଭୁବନେଶ୍ଵର/ ବଲାଙ୍ଗିର: ଯେତେ ଗଣିଲେ ସେତେ ବାହାରୁଛି । ସରିବାର ନାଁ ନେଉନାହିଁ ଟଙ୍କା । ଟଙ୍କା ଗଣି ଗଣି ହାଲିଆ ହେଲେଣି ବ୍ୟାଙ୍କ ଓ ଆଇଟି ଅଧିକାରୀ । ଗତ ଦୁଇ ଦିନରେ ୨୦୦ କୋଟି ଟଙ୍କା ମିଳିଥିବା ବେଳେ ଆଜି ହେଉଛି ତୃତୀୟ ଦିନ । ଏହାରି ଭିତରେ ଜବତ ଟଙ୍କାର ମୂଲ୍ୟ ୩୦୦ କୋଟି ପାର କରିବା ନେଇ ଆଶଙ୍କା କରାଯାଉଛି । ସେପଟେ ଯେତିକି ଟଙ୍କା ଜବତ ହୋଇ ଗଣା ଚାଲିଛି ସେତିକି ଟଙ୍କା ବିଭିନ୍ନ ସ୍ଥାନରୁ ବାହାରୁଛି ।

ରାଜ୍ୟରେ ଚାଲିଥିବା ଆୟକର ବିଭାଗର ଖୋଳତାଡ଼ରେ ପ୍ରତିଦିନ ବାହାରୁଛି ନୂଆ ନୂଆ ତଥ୍ୟ । ୪୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ଯାଞ୍ଚ ଓ ତା ସହ କୋଟି କୋଟି ଟଙ୍କାର ଗଣତି । ବଲାଙ୍ଗିର ଜିଲ୍ଲା ସୁଦପଡ଼ା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ପୁଳା ପୁଳା ଟଙ୍କା । ବର୍ତ୍ତମାନ ସୁଦ୍ଧା ୨୦ କୋଟି ଟଙ୍କା ଗଣା ହୋଇଛି । ମିଳିଥିବା ୧୫୬ଟି ଟଙ୍କା ଭର୍ତ୍ତି ବ୍ୟାଗରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୬/୭ଟି ବ୍ୟାଗରେ ଥିବା ଟଙ୍କାକୁ ଗଣାଯାଇଛି ।

ସୂଚନା ଯୋଗ୍ୟ ଯେ, ଗତ ବୁଧବାର ଦିନ ଝାଡଖଣ୍ଡ ରାଜ୍ୟସଭା କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ବାସଭବନ ସମେତ ଝାଡଖଣ୍ଡର ରାଞ୍ଚି, ଲୋହରଦଗା ଏବଂ ଓଡିଶାର ୫ରୁ ଅଧିକ ସ୍ଥାନରେ ଏକ ବଡ ଧରଣର ଚଢାଉ କରିଥିଲା ଆୟକର ବିଭାଗ । ଧୀରଜ ସାହୁ ଝାଡଖଣ୍ଡର ଏକ ପ୍ରତିଷ୍ଠିତ ବ୍ୟବସାୟୀ ଓ ରାଜନେତା । ସେ କଂଗ୍ରେସରୁ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସାଂସଦ ସାହୁଙ୍କ ପୈତୃକ ବାସଭବନ ଲୋହରଦଗାରେ । ମାତ୍ର ରାଞ୍ଚିର ରେଡିୟମ ରୋଡରେ ଥିବା ଏକ ବଙ୍ଗଳାରେ ସେ ଏବଂ ତାଙ୍କର ପୁରା ପରିବାର ରହୁଛନ୍ତି । ଗତ ବୁଧବାର ସକାଳେ ସୁରକ୍ଷା ବାହିନୀ ସମେତ ଆୟକର ବିଭାଗ ଉଭୟ ସ୍ଥାନରେ ଚଢାଉ କରିଥିଲା ।

ଏହା ବ୍ୟତୀତ ଓଡ଼ିଶାର ବଲାଙ୍ଗୀର, ବୌଦ୍ଧ, ଭୁବନେଶ୍ୱର, ସୁନ୍ଦରଗଡ, ସମ୍ବଲପୁର ଓ ରାୟଗଡା ଆଦି ବିଭିନ୍ନ ସ୍ଥାନରେ ଆଇଟି ପକ୍ଷରୁ ଚଢାଉ ଚାଲିଛି । ଟିଟିଲାଗଡ଼ ସଂଜୟ ସାହୁଙ୍କ ସହ ତାଙ୍କ ବଡ଼ଭାଇ ଦୀପକ ସାହୁ ଓ ବଳଦେବ ସାହୁଙ୍କ ଘରେ ଓ ମଦଭାଟିରେ ଆଇଟି ବିଭାଗ ପକ୍ଷରୁ ରେଡ୍‌ ହୋଇଥିଲା । ଚଢାଉ ସମୟରେ ଉଭୟ ଘର ଓ ମଦଭାଟିରୁ ୩୦୦ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ସେହିପରି ବଲାଙ୍ଗୀର ସୁଦପଡ଼ା ରାଜେଶ ସାହୁଙ୍କ ମଦଭାଟି ସହ ଘରେ ମଧ୍ୟ ରେଡ୍‌ ଜାରି ରହିଛି ।

ଅନ୍ୟପଟେ ସମ୍ବଲପୁର, ରାୟଗଡା ଓ ସୁନ୍ଦରଗଡରେ ମଧ୍ୟ ରେଡ୍ ସମୟରେ ଅନେକ ମଦ ବ୍ୟବସାୟୀଙ୍କ ଘରୁ ଆଲମାରୀ ଭର୍ତ୍ତି ପୁଳା ପୁଳା ଟଙ୍କା ଜବତ ହୋଇଛି । ଏହି ଟଙ୍କା ମାନ ନେବାକୁ ବିଭାଗ ପକ୍ଷରୁ ଟ୍ରକ୍ ବ୍ୟବହାର କରାଯାଉଛି । ଯାହାକୁ ଦେଖି ବିଭାଗର ଆଖି ଖୋସି ହେଇଯାଉଛି । ଓଡ଼ିଶାରେ ଏହା ସବୁଠୁ ବଡ ଆଇଟି ରେଡ୍ ବୋଲି କୁହାଯାଉଥିବାବେଳେ ଏଥିରେ ଆୟକର ବିଭାଗର ୪୦ ଜଣିଆ ଟିମ୍ ସହ ସ୍ଥାନୀୟ ପୋଲିସ ମାନେ ସାମିଲ ଅଛନ୍ତି ।

 

 

Leave A Reply

Your email address will not be published.