Latest Odisha News

BREAKING NEWS

ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ, ଭୟରେ ଗ୍ରାମବାସୀ

ଅନୁଗୋଳ: ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତକ ଦୁଇ ଜଣ ହେଉଛନ୍ତି ୧୮ ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ । ସେପଟେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ଗ୍ରାମବାସୀ ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଗୋଟେ ହାତୀ ଶରଧାପୁର ଗାଁର ଗୁରୁ ନାଏକଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଗୁରୁଙ୍କୁ ଆକ୍ରମଣ କରି ହାତୀଟି ଯାଉଥିବା ବେଳେ ଛେଳିଆପଡା ଗାଁର ଅଇଁଠୁ ସାହୁ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ତାଙ୍କୁ ମଧ୍ୟ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ସେପଟେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ଦେଖା ଦେଇଛି ଉତ୍ତେଜନା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହାତୀ ଦାଉରୁ ରକ୍ଷା ପାଇଁ ସ୍ଥାୟୀ ସମାଧାନ ଦାବିରେ ଦୁଇ ଗାଁର ଗ୍ରାମବାସୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି । ଶରଧାପୁରରେ ବନ୍ତଳା- ଅନୁଗୁଳ ମୁଖ୍ୟ ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ ଚଳାଇଥିବା ବେଳେ ବନ ବିଭାଗ ପହଞ୍ଚି କ୍ଷତିପୂରଣ ଓ ସୋଲାର ବାଡ଼ ଦେବାର ପ୍ରତିଶ୍ରୁତି ଦେବା ସହ ମୃତ ଗୁରୁ ନାଏକଙ୍କ ବାପାଙ୍କୁ ବନ ବିଭାଗରେ ଚାକିରୀ ଦେବାର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଓହରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଛେଳିଆପଡା ଗାଁରେ ସମାନ ଦାବି ନେଇ ଏବେ ବି ଆନ୍ଦୋଳନ ଜାରି ରହିଥିବା ବେଳେ ବନ ବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି ।

 

 

Leave A Reply

Your email address will not be published.