Latest Odisha News

BREAKING NEWS

ଧାର୍ଯ୍ୟ ସମୟର ୫ ବର୍ଷ ପୂର୍ବରୁ ୫୦ ପ୍ରତିଶତ ସ୍ୱଚ୍ଛ ଶକ୍ତି କ୍ଷମତା ହାସଲ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏହାର ସ୍ୱଚ୍ଛ ଶକ୍ତି ଦିଗରେ ପରିବର୍ତ୍ତନର ଯାତ୍ରାରେ ଏକ ଐତିହାସିକ ସଫଳତା ହାସଲ କରିଛି । ପ୍ୟାରିସ ଚୁକ୍ତିନାମାରେ ଜାତୀୟ ନିର୍ଦ୍ଧାରିତ ଅବଦାନ ଅନୁଯାୟୀ ଧାର୍ଯ୍ୟ ଲକ୍ଷ୍ୟଠାରୁ ପାଞ୍ଚ ବର୍ଷ ପୂର୍ବରୁ ଭାରତ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୫୦% ହାସଲ କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଜଳବାୟୁ କାର୍ଯ୍ୟ ଏବଂ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଦେଶର ଦୃଢ଼ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ସ୍ୱଚ୍ଛ ଶକ୍ତି ଦିଗରେ ପରିବର୍ତ୍ତନର ଯାତ୍ରା ତ୍ୱରାନ୍ୱିତ ହେଉଥିବା ଏଥିରୁ ପ୍ରମାଣିତ ହୋଇଛି ।

କେନ୍ଦ୍ର ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି, ‘‘ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଖୋଜୁଥିବା ବିଶ୍ୱରେ, ଭାରତ ମାର୍ଗ ଦେଖାଉଛି । ୨୦୩୦ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟଠାରୁ ପାଞ୍ଚ ବର୍ଷ ପୂର୍ବରୁ ୫୦% ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ହାସଲ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଭାରତର ସବୁଜ ପରିବର୍ତ୍ତନକୁ ଆଗକୁ ବଢ଼ୁଛି । ଦେଶ ଏକ ଆତ୍ମନିର୍ଭରଶୀଳ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି।’’

ଏହି ସଫଳତା ଦୂରଦୃଷ୍ଟିପୂର୍ଣ୍ଣ ନୀତି ପ୍ରଣୟନ, ଏହାର ଦୃଢ଼ କାର୍ଯ୍ୟକାରିତା ଏବଂ ସମାନତା ତଥା ଜଳବାୟୁ ଦାୟିତ୍ୱ ପ୍ରତି ଦେଶର ଗଭୀର ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରେ । ପିଏମ-କୁସୁମ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା, ସୌର ପାର୍କ ବିକାଶ ଏବଂ ଜାତୀୟ ପବନ-ସୌର ହାଇବ୍ରିଡ୍ ନୀତି ଭଳି ପ୍ରମୁଖ କାର୍ଯ୍ୟକ୍ରମ ଏହି ପରିବର୍ତ୍ତନ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଛି ।

ବିଶ୍ୱ ପରିପ୍ରେକ୍ଷୀରେ ଭାରତର ପ୍ରଗତି ଅଧିକ ଗୁରୁତ୍ୱ ବହନ କରେ । ବିଶ୍ୱ ସ୍ତରରେ ମୁଣ୍ଡପିଛା ନିର୍ଗମନ ସବୁଠାରୁ କମ୍ ହେବା ସତ୍ତ୍ୱେ, ଭାରତ ହାତଗଣତି ଜି-ଟ୍ୱେଣ୍ଟି ଦେଶ ମଧ୍ୟରୁ ଅନ୍ୟତମ ଯେଉଁମାନେ ସେମାନଙ୍କର ସ୍ୱଚ୍ଛ ଶକ୍ତି ପ୍ରତିଶ୍ରୁତି ପୂରଣ କରିବାକୁ କିମ୍ବା ଅତିକ୍ରମ କରିବାର ମାର୍ଗରେ ଅଛନ୍ତି ।

ଏହି ପ୍ରାରମ୍ଭିକ ସଫଳତା ଆହୁରି ଉଚ୍ଚ ଲକ୍ଷ୍ୟ ରଖିବା ପାଇଁ ଏକ ସୁଯୋଗ ପ୍ରଦାନ କରେ । ଭାରତର ଶକ୍ତି ପରିବର୍ତ୍ତନର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱଚ୍ଛ ଶକ୍ତି ଉପଲବ୍ଧତାରେ ଗୁଣବତ୍ତା, ସମାନତା ଏବଂ ସ୍ଥିରତାକୁ ପ୍ରାଥମିକତା ଦେବ । ଅକ୍ଷୟ ଶକ୍ତି ପ୍ରଣାଳୀର ବିତରଣ, ଇନ୍ଧନ ସଞ୍ଚୟ କରୁଥିବା ଉପକରଣର ବ୍ୟବହାର ଏବଂ ଗ୍ରାମୀଣ ଓ ଅନୁନ୍ନତ ଅଞ୍ଚଳରେ ମୁଣ୍ଡପିଛା ସ୍ୱଚ୍ଛ ବିଦ୍ୟୁତ୍ ବ୍ୟବହାରକୁ ଦ୍ୱିଗୁଣିତ କରିବା ଲାଗି ଗୁରୁତ୍ୱ ଦିଆଯିବ ।

କୃତ୍ରିମ ବୁଦ୍ଧିମତା ବା ଏଆଇ ଭାରତର ଭବିଷ୍ୟତର ଶକ୍ତି ଭିତ୍ତିଭୂମିର ଆଧାର ଭାବରେ ଉଭା ହେବାକୁ ଯାଉଛି । ଏଆଇ-ଚାଳିତ ପ୍ଲାଟଫର୍ମ ସହିତ, ଛାତ ଉପରେ ସୌରଶକ୍ତି, ବୈଦ୍ୟୁତିକ ଯାନବାହନ ଏବଂ ସ୍ମାର୍ଟ ମିଟରଗୁଡ଼ିକ ଗ୍ରାହକମାନଙ୍କୁ ସକ୍ରିୟ ଶକ୍ତି ଉତ୍ପାଦକରେ ପରିଣତ କରିବ ।

ଦେଶ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣ-ଜୀବାଶ୍ମ କ୍ଷମତା ଏବଂ ୨୦୭୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବାରୁ ଭବିଷ୍ୟତର ମାର୍ଗ ଦୃଢ଼, ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ହେବା ଆବଶ୍ୟକ ବୋଲି ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି ।

Comments are closed.