Latest Odisha News

BREAKING NEWS

ବାଲିରେ ବିଶ୍ବ ନେତାଙ୍କ ଆଗରେ ମୋଦିଙ୍କ ଦବଦବା, କଟକ ବାଲିଯାତ୍ରାକୁ କଲେ ପ୍ରଶଂସା

ଇଣ୍ଡିଆ-ଇଣ୍ଡୋନେସିଆର ସଂସ୍କୃତି, ଐତିହ୍ୟରେ ଅଛି ସମାନତା

ବାଲି : ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦବଦବା ଦେଖିବାକୁ ମିଳିଛି । ଏସବୁ ଭିତରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସବୁଠୁ ବଡ଼ କଥା ହେଲା ଇଣ୍ଡୋନେସିଆ ସହ ଭାରତର ନିବିଡ ସମ୍ବନ୍ଧ କଥା ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ  । ଏପରିକି କଟକ ମହାନଦୀ ପାର୍ଶ୍ବରେ ଚାଲିଥିବା ଐତିହାସିକ ବାଲିଯାତ୍ରା ମହୋତ୍ସବ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ହଜାର ହଜାର ବର୍ଷର ବାଣିଜ୍ୟିକ ସଂପର୍କର ଉତ୍ସବ  ବୋଲି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ କହିଛନ୍ତି ।

ବାଲି ଦ୍ବୀପରେ ପ୍ରବାସୀ ଭାରତୀୟଙ୍କୁ ମୋଦି କହିଛନ୍ତି  “ ମୁଁ ଏଠାରେ ଆପଣମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଏଠାରୁ ୧୫୦୦ କିଲୋମିଟର ଦୂର କଟକଠାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ମହୋତ୍ସବ ହଜାର ହଜାର ବର୍ଷର ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କକୁ ଉତ୍ସବ ଭାବେ ପାଳନ କରିଥାଏ । ଇଣ୍ଡୋନେସିଆର ଲୋକମାନେ ଏହି ବାଲିଯାତ୍ରାର ଫଟୋ ଇଣ୍ଟରନେଟରେ ମଧ୍ୟ ଦେଖି ନିଶ୍ଚିତ ଖୁସି ହେଉଥିବେ ବୋଲି କହିଥିଲେ ମୋଦି । ଏହା କହିବା ବେଳେ ପ୍ରବାସୀ ଭାରତୀୟମାନେ ଜୋରଦାର କରତାଳି ମାଡ଼ କରିଥିଲେ । କରୋନା ପାଇଁ କିଛି ବର୍ଷ ଏହା ବନ୍ଦ ହୋଇଯାଇଥିଲା, କିନ୍ତୁ ଏଥର ବାଲିଯାତ୍ରା ମହୋତ୍ସବ ଆଡ଼ମ୍ବରରେ ପାଳନ ହେଉଛି ଓ ଲକ୍ଷ ଲକ୍ଷ ଲୋକ ଯୋଗ ଦେଉଛନ୍ତି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ବାଲିର ଏହି ମହାନ ଭୂମିରେ ମହର୍ଷି ମାର୍କେଣ୍ଡେୟ, ଅଗସ୍ତ୍ୟଙ୍କ ତପଭୂମି ଥିଲା । ଭାରତର ହିମାଳୟ ଏବଂ ବାଲିର ଆଙ୍ଗୁଗ ପର୍ବତ ମଧ୍ୟରେ ସାମଞ୍ଜସ୍ୟ କଥା କହିଥିଲେ ମୋଦି । ଭାରତରେ ସବୁ ଶୁଭ କାର୍ଯ୍ୟ ଆରମ୍ଭରେ ଭଗବାନ ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ଇଣ୍ଡୋନେସିଆରେ ମଧ୍ୟ ଏହି ପରମ୍ପରା ଆଜି ବି ଜୀବିତ ଥିବା କହିଥିଲେ ମୋଦି । ପୂର୍ଣ୍ଣିମା, ଏକାଦଶୀ ବ୍ରତ, ସୂର୍ଯ୍ୟ ଉପାସନା, ସଂଧ୍ୟା ପ୍ରାର୍ଥନା ସବୁ କିଛି ରେ ଦୁଇଦେଶ ମଧ୍ୟରେ ସମାନତା କଥା କହିଥିଲେ ପ୍ରଧାନମନ୍ତ୍ରୀ ।

ସେପଟେ ବାଲିରେ ଆଜି ବିଶ୍ବର ବଡ଼ ବଡ଼ ନେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ  ଭାଇରାଲ ହେବାରେ ଲାଗିଛି ।  ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିଶ୍ବନେତାଙ୍କ ସହ ସହଜରେ କଥା ହେଉଥିବାର ଫଟୋକୁ ନେଇ ଚର୍ଚା ମଧ୍ୟ ଜାତୀୟ ମିଡିଆରେ ଚାଲିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କଠାରୁ ଆରମ୍ଭ କରି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମୋଦିଙ୍କ ସହ ହସଖୁସିରେ କଥା ହେଉଥିବା ଦେଖିବାକୁ ମିଳିଛି ।

Comments are closed.