ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରବେଶ କରିଛନ୍ତି । ପ୍ରଥମ ଥର ପାଇଁ ଏହି ୨ଟି ଟିମ ଆଇସିସିର ୩ଟି ଫର୍ମାଟର ଫାଇନାଲରେ ସାମ୍ନା ସାମ୍ନି ହେବେ । ଯାହାକି କ୍ରିକେଟ ଇତିହାସରେ ପୂର୍ବରୁ ଘଟି ନ ଥିଲା । ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଚାମ୍ପିୟନ ହେବା ଆଶାୟୀ ଅଛି । ୨୦୨୧ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ଭାରତକୁ ହରାଇ ଚାମ୍ପିୟନ ହୋଇଥିଲା । ଏହି ମ୍ୟାଚ ସାଉଥାମ୍ପଟନରେ ଖେଳା ଯାଇଥିଲା ।
୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି ଯାହାକି ଦିନିକିଆ ଫର୍ମାଟରେ ଖେଳାଯାଏ ଉଭୟ ଟିମ ପୂନର୍ବାର ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୪ ୱିକେଟରେ ବାଜି ମାରିଥିଲା । ଭାରତର ଏହା ତୃତୀୟ ଚାମ୍ପିୟନ୍ସ ଟ୍ରଫି ଥିଲା । ଏବେ ଟି୨୦ ଫର୍ମାଟରେ ଉଭୟ ପୂନର୍ବାର ସାମ୍ନା ସାମ୍ନି ହୋଇଛନ୍ତି । ଉଭୟ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଇଂଲଣ୍ଡକୁ ହରାଇ ଭାରତ ଏବଂ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଛି । ସବୁଠାରୁ ଚିନ୍ତାର ବିଷୟ ଟି୨୦ ବିଶ୍ୱକପରେ ଭାରତ କେବେ ବି ନ୍ୟୁଜିଲାଣ୍ଡକୁ ପରାସ୍ତ କରିପାରିନି । ଦୁଇ ଟିମ ମଧ୍ୟରେ ୩ଟି ମ୍ୟାଚ ଖେଳାଯାଇଛି ଏବଂ ସମସ୍ତ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଛି ।