Latest Odisha News

ଭାରତ ଦ୍ୱିତୀୟ ଥର ପାଇଁ ଜିତିଲା ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟ

କୁଆଲାଲୁମ୍ପୁର: ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିୟନ ହୋଇଛି । ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଭାରତ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଗୋଙ୍ଗାଦୀ ତ୍ରିଷା ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏଥିସହ ଭାରତ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ହାସଲ କରିଛି । ପୂର୍ବରୁ ୨୦୨୩ରେ ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା । ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଜେମା ବୋଥା ସର୍ବାଧିକ ୧୬ ରନ କରିଥିଲେ ।

ଗୋଙ୍ଗାଦୀ ତ୍ରିଷା ଦଳ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା ଦକ୍ଷିଣ ଆଫ୍ରିକାର ଖେଳାଳିମାନେ କରିପାରି ନ ଥିଲେ । ୮ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଜବାବରେ ଭାରତ ୮୩ ରନର ବିଜୟ ଲକ୍ଷ୍ୟକୁ ୧୧.୨ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରି ନେଇଥିଲା । ଜି ତ୍ରିଷା ୩୩ ବଲରେ ୪୪ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ତ୍ରିଷା ପ୍ଲେୟାର ଅଫ ଦି ଫାଇନାଲ ଓ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ବିବେଚିତ ହୋଇଥିଲେ । ସେ ତାଙ୍କ ପୁରସ୍କାର ବାପାଙ୍କୁ ସମର୍ପିତ କରିଥିଲେ ।

Comments are closed.