Latest Odisha News

BREAKING NEWS

ମଧୁବନୀ ଚିତ୍ରକଳା: ଯାହାକୁ ନେଇ ଏତେ ଚର୍ଚ୍ଚା ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ: ବଜେଟ ୨୦୨୫ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ପିନ୍ଧିଥିବା ମଧୁବନୀ ଚିତ୍ରକଳା ଶାଢୀ ଏବେ ସବୁଆଡେ ଚର୍ଚ୍ଚାର ବିଷୟ । ମଧୁବନୀ ଚିତ୍ରକଳା ମିଥିଳା ​​ପେଣ୍ଟିଂ ଭାବରେ ମଧ୍ୟ ଜଣାଶୁଣା । ଏହା ହେଉଛି ଭାରତର ଅନ୍ୟତମ ପ୍ରାଚୀନ ତଥା ପ୍ରସିଦ୍ଧ ଲୋକକଳା । ବିହାରର ମଧୁବନୀ ଜିଲ୍ଲାରୁ ଉତ୍ପନ୍ନ ଏହି ଚିତ୍ରଟି ଏହାର ଅନନ୍ୟ ଶୈଳୀ ଏବଂ ଜୀବନ୍ତ ରଙ୍ଗ କାରଣରୁ ସମଗ୍ର ବିଶ୍ୱରେ ସ୍ୱୀକୃତି ଲାଭ କରିଛି । ଏହା କେବଳ କଳା ପ୍ରେମୀଙ୍କ ମଧ୍ୟରେ ଲୋକପ୍ରିୟ ହୋଇ ରହିନାହିଁ, ଏହାକୁ ଜିଆଇ ଟ୍ୟାଗ ମଧ୍ୟ ମିଳିଛି । ଯେଉଁଥିରୁ ଏହାର ବିଶେଷତାକୁ ପ୍ରତିଫଳିତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏହି କଳାର ଇତିହାସ ପ୍ରଭୁ ରାମ ଏବଂ ମାତା ସୀତାଙ୍କ ବିବାହ ସହିତ ଜଡିତ? ତେବେ ଆସନ୍ତୁ ଜାଣିବା ମଧୁବନୀ ଚିତ୍ରକଳାର ସମ୍ପୂର୍ଣ୍ଣ ଇତିହାସ ଏବଂ ଏହାର ସ୍ୱତନ୍ତ୍ରତା ।

ମଧୁବନୀ ଚିତ୍ରକଳା ହେଉଛି ଏକ ପାରମ୍ପାରିକ ଭାରତୀୟ ଚିତ୍ରକଳା ଯାହା କାଗଜ, କପଡା, କାନ୍ଥ ଏବଂ ଶାଢୀ ଆଦିରେ କରାଯାଇଥାଏ । ମିଥିଳା ପେଣ୍ଟିଂ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଯେ ଏହା କୌଣସି ସ୍କେଚ୍ କିମ୍ବା ଛାଞ୍ଚ ବିନା ସିଧାସଳଖ ବ୍ରଶ୍ କିମ୍ବା କାଠ କଲମ ଦ୍ୱାରା ନିର୍ମିତ ହୋଇଥାଏ । ଏଥିରେ ଦେବୀ ଦେବତା, ପ୍ରକୃତି, ଲୋକନୃତ୍ୟ ଏବଂ ପୁରାଣ ଘଟଣାଗୁଡ଼ିକ ଖୋଦିତ ହୋଇଥାଏ । ପାରମ୍ପାରିକ ଭାବରେ କେବଳ ମହିଳାମାନେ ଏହାକୁ ତିଆରି କରୁଥିଲେ, କିନ୍ତୁ ବର୍ତ୍ତମାନ ପୁରୁଷମାନେ ମଧ୍ୟ ଏହି କଳା ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଏହି ଚିତ୍ରକଳା ତିଆରିରେ ବ୍ୟବହୃତ ନୀଳ, ନାଲି, ହଳଦିଆ, ସବୁଜ ରଙ୍ଗ ପ୍ରାକୃତିକ ଭାବରେ ପ୍ରସ୍ତୁତ ହୋଇଥାଏ । ଯେପରିକି ହଳଦୀ, କଳା, ଚାଉଳ ପେଷ୍ଟ ଏବଂ ପ୍ରାକୃତିକ ରଙ୍ଗ ଗେଣ୍ଡୁ, ଗୋଲାପ ଇତ୍ୟାଦି ଫୁଲରୁ ମିଳିଥାଏ ।

ମିଥିଳା ଚିତ୍ରକଳାର ଇତିହାସ ବହୁ ପୁରାତନ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ମଧୁବନୀ ଚିତ୍ରକଳାର ଇତିହାସ ରାମାୟଣ ସମୟ ସହିତ ଜଡିତ । ଯେତେବେଳେ ପ୍ରଭୁ ରାମ ଏବଂ ମାତା ସୀତା ବିବାହ କରିଥିଲେ, ମିଥିଳାର ରାଜା ଜନକ ସମଗ୍ର ରାଜପ୍ରାସାଦ ଏବଂ ସହରର କାନ୍ଥକୁ ସୁନ୍ଦର ଚିତ୍ରରେ ସଜାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରମ୍ପରା ଅନୁଯାୟୀ ମହିଳାମାନେ ନିଜ ଘରର କାନ୍ଥରେ ବିଭିନ୍ନ ଚିତ୍ର ଆଙ୍କିଥିଲେ, ଯାହା ପରେ ମଧୁବନୀ ଚିତ୍ର ଭାବରେ ପ୍ରସିଦ୍ଧ ହେଲା । ମଧୁବନୀ ଚିତ୍ରକଳାକୁ ୨୦୦୭ରେ ଜିଆଇ ଟ୍ୟାଗ୍ ମିଳିଥିଲା । ଜିଆଇ ଟ୍ୟାଗ୍ ପାଇବା ପରେ ମଧୁବନୀ ଚିତ୍ରକଳାର ଲୋକପ୍ରିୟତା ଏବଂ ଚାହିଦା ଦିନକୁ ଦିନ ବଢିବାରେ ଲାଗିଲା । ବର୍ତ୍ତମାନ ଏହା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଲୋକପ୍ରିୟ ହୋଇପାରିଛି ।

ଏହି କଳାକୁ ସଂରକ୍ଷଣ କରିବା ପାଇଁ ସରକାର ଏବଂ ଅନେକ ବେସରକାରୀ ଅନୁଷ୍ଠାନ ମଧ୍ୟ ଉଦ୍ୟମ କରୁଛନ୍ତି । ମଧୁବନୀ ଚିତ୍ରକଳାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପରିଚୟ ସେତେବେଳେ ମିଳିଲା ଯେତେବେଳେ ୧୯୩୪ରେ ବିହାରରେ ହୋଇଥିବା ଭୟଙ୍କର ଭୂକମ୍ପ ସମୟରେ ବ୍ରିଟିଶ ଅଧିକାରୀ ୱିଲିୟମ୍ ଜର୍ଜ ଆର୍ଚରଙ୍କ ନଜର ଏହି କଳା ଉପରେ ପଡିଥିଲା । ମାଟି ଘରେ ଅଙ୍କା ଯାଇଥିବା ସେହି ଚିତ୍ର ୱିଲିୟମ୍ ଜର୍ଜ ଆର୍ଚରଙ୍କ ମନ କିଣିନେଇଥିଲା । ପରେ ସେ ଏହି ଚିତ୍ରକଳାର ଫଟୋଗ୍ରାଫ୍ ନେଇ ଏହା ଉପରେ ଏକ ବିସ୍ତୃତ ଆର୍ଟିକିଲ୍ ଲେଖିଥିଲେ, ୱିଲିୟମ୍ ଜର୍ଜ ଆର୍ଚର । ଯେଉଁ କାରଣରୁ ଏହି କଳା ସାରା ବିଶ୍ୱରେ ସ୍ୱୀକୃତି ଲାଭ କରିଥଲା ।

କହିରଖୁଛୁ ଯେ, ଜଗଦମ୍ବା ଦେବୀ ପ୍ରଥମ ମହିଳା, ଯିଏକି ତାଙ୍କ ମଧୁବନୀ ଚିତ୍ର ପାଇଁ ୧୯୭୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ତାଙ୍କ ପରେ ସୀତା ଦେବୀ, ଗଙ୍ଗା ଦେବୀ ଏବଂ ଦୁଲାରୀ ଦେବୀଙ୍କ ପରି ଅନେକ ମହିଳା ମଧ୍ୟ ଏହି କଳାକୁ ଆଗକୁ ବଢାଇଥିଲେ । ଯେଉଁଥିପାଇଁ ତାଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ବର୍ତ୍ତମାନ ମଧ୍ୟ ମଧୁବନୀ ଚିତ୍ରକଳାକୁ ନୂତନ ରୂପ ଏବଂ କୌଶଳ ସହିତ ବିକଶିତ କରାଯାଉଛି, ଯାହା ଦ୍ଵାରା ଏହି କଳା ଆଗାମୀ ପିଢି ପର୍ଯ୍ୟନ୍ତ ଜୀବନ୍ତ ରଖାଯାଇପାରିବ ।

Comments are closed.