ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ବଡ଼ ଆକ୍ସନ୍ । ବରବାଦ ହୋଇଯିବ ପାକିସ୍ତାନ ଅର୍ଥନୀତି ! ସବୁ ଆମଦାନୀ ଓ ରପ୍ତାନୀ ବନ୍ଦ କଲା ଭାରତ । ନା କୌଣସି ସାମଗ୍ରୀ ପାକିସ୍ତାନ ଯିବ ନା ସେଠୁ ଭାରତକୁ ଆସିବ । ପୂର୍ବରୁ ପ୍ରତ୍ୟକ୍ଷ ବାଣିଜ୍ୟ ବନ୍ଦ କରାଯାଇଥିବା ବେଳେ ଏବେ ପରୋକ୍ଷ ବାଣିଜ୍ୟ ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ଭାରତ ସରକାରଙ୍କ ଏହି ଆକ୍ସନ୍ ଯୋଗୁଁ ପାକିସ୍ତାନ ଅର୍ଥନୀତି ବ୍ୟାପକ କ୍ଷତି ସହିବ । ପରଦା ପଛରେ ରହି ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ କରାଇଥିବା ଭାରତ ଅଭିଯୋଗ କରିଆସୁଛି । ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ ପରି ନିଷ୍ପତିକୁ ନେଇ ପାକିସ୍ତାନ ଚିନ୍ତାରେ ଥିବା ବେଳେ ଭାରତ ଆମଦାନୀ, ରପ୍ତାନୀ ବନ୍ଦ କରିଛି ।
ଭାରତରୁ କ’ଣ ଯାଏ ପାକିସ୍ତାନ?
ବାଣିଜ୍ୟ ପ୍ରତିବନ୍ଧକ ପୂର୍ବରୁ ଭାରତରୁ କପା, କେମିକାଲ, ଖାଦ୍ୟ ସାମଗ୍ରୀ, ଔଷଧ ଓ ମସଲା ପାକିସ୍ତାନ ରପ୍ତାନୀ ହେଉଥିଲା । ଏହାସହ ଚା, କଫି, ରଙ୍ଗ, ପିଆଜ, ଟମାଟୋ, ଲୁହା, ଇସ୍ପାତ, ଚିନି, ଲୁଣ ଓ ଅଟୋପାର୍ଟ ପରି ସାମଗ୍ରୀ ତୃତୀୟ ଦେଶ ମାଧ୍ୟମରେ ପାକିସ୍ତାନ ପଠାଯାଉଥିଲା । ସେପଟେ ପାକିସ୍ତାନରୁ ପୂର୍ବରୁ ସିମେଣ୍ଟ, ଜିପ୍ସନ, ଫଳ, ତମ୍ବା ପରି ସାମଗ୍ରୀ ଆମଦାନୀ କରାଯାଉଥିଲା। ତେବେ ୨୦୧୯ ପରଠୁ ଆମଦାମୀ ବହୁତ କମି ଯାଇଥିଲା । ୨୦୨୪ରେ ପାକିସ୍ତାନଠାରୁ ଭାରତର ଆମଦାନୀ ମାତ୍ର ୪୮ଲକ୍ଷ ଡଲାର ରହିଥିଲା । ସୈନ୍ଧବ ଲବଣ, ମୁଲତାନୀ ମିଟ୍ଟି ପରି କିଛି ସାମଗ୍ରୀ ପାକିସ୍ତାନରୁ ମଗାଉଥିଲା ଭାରତ । ଯାହା ଏବେ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ ।
ଦୋହଲିଯିବ ପାକିସ୍ତାନର ଅର୍ଥବ୍ୟବସ୍ଥା
ପାକିସ୍ତାନର ଅର୍ଥନୈତିକ ସ୍ଥିତି ଖରାପ ଥିବା ବେଳେ ଆମଦାନୀ ଓ ରପ୍ତାନୀ ଉପରେ ରୋକ୍ ନେଇ ଭାରତର ନିଷ୍ପତ୍ତି ଏହାକୁ ଦୋହଲାଇଦେବ । ଭାରତଠାରୁ କୃଷି ଉତ୍ପାଦ, ମସଲା ଓ ଖାଜ୍ୟ ସାମଗ୍ରୀ ଆମଦାନୀ କରୁଥିଲା ପାକିସ୍ତାନ । ତେବେ ଏସବୁ ସାମଗ୍ରୀର ରପ୍ତାନୀ ସଂପୂର୍ଣ୍ଣ ରୂପେ ବନ୍ଦ ହେବା ପାକିସ୍ତାନର ଅର୍ଥବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପକାଇବ । ଖାଦ୍ୟ ସାମଗ୍ରୀ ଅଭାବ ଓ ମହଙ୍ଗା ମାଡ଼ରେ ଛଟପଟ ହେବେ ସେଠାକାର ଜନତା । ଅନେକ ପାକିସ୍ତାନୀ ଶିଳ୍ପ ଭାରତରୁ ଆମଦାନୀ ଉପରେ ନିର୍ଭରଶୀଳ । ତେଣୁ ଭାରତର ଆକ୍ସନ୍ ଯୋଗୁଁ ପାକିସ୍ତାନର ଔଷଧ, ରସାୟନିକ ପଦାର୍ଥ ଓ ଖାଦ୍ୟ ସାମଗ୍ରୀ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହେବ। ଯେବେକି ଭାରତର ସାମଗ୍ରିକ ବାଣିଜ୍ୟର ପାକିସ୍ତାନ ଏକ ଛୋଟ ଅଂଶ ହୋଇଥିବାରୁ ସେଭଳି ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିବନି ।
ପୂର୍ବରୁ ବି ହୋଇଛି ଆକ୍ସନ୍
୨୦୧୯ ମସିହାରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସଂପର୍କ ବିଗିଡିଥିଲା । ପାକିସ୍ତାନରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କକୁ ୨ଶହ ପ୍ରତିଶତକୁ ବଢାଇଥିଲା ଭାରତ । ପାକିସ୍ତାନରୁ ଫଳ, ସିମେଣ୍ଟ, ପେଟ୍ରୋଲିୟମ ସାମଗ୍ରୀ, ଖଣିଜ ସାମଗ୍ରୀ ଆସୁଥିଲା । ତେବେ ଏସବୁ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢାଇବା ସହ ସର୍ବାଧିକ ଅନୁକୂଳ ରାଷ୍ଟ୍ର ମାନ୍ୟତା ମଧ୍ୟ ବାତିଲ୍ କରିଥିଲା । ଗତ କିଛି ବର୍ଷ ଧରି ମଧ୍ୟ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କମିଛି । ୧୯୪୭ମସିହା ପରଠୁ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସଂପର୍କ ଦୁର୍ବଳ ରହିଛି । ତେବେ ଦୁବାଇ ଦେଇ ପରୋକ୍ଷ ବାଣିଜ୍ୟ ଚାଲିଥିଲା ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ବଢିଥିବା ବେଳେ ଗୋଟେ ପରେ ଗୋଟେ କୁଟନୈତିକ ପଦକ୍ଷେପ ନେଉଛନ୍ତି ଭାରତ ସରକାର । ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ସହ ଅଟାରୀ ଓ୍ବାଘା ବର୍ଡର ବନ୍ଦ କରିଛି ଭାରତ। ଏହି କ୍ରମରେ ବାଣିଜ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଗକୁ ଏଫଏଟିଏଫର ଗ୍ରେ ଲିଷ୍ଟରେ ରଖିବା ସହ ଆଇଏମଏଫରୁ ପାକିସ୍ତାନକୁ ମିଳିବାକୁ ଥିବା ସହାୟତାକୁ ବିରୋଧ କରିବ ଭାରତ ।
Comments are closed.