ସିଡନୀ : ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟ ଅନ୍ତର୍ଗତ ପ୍ରମୁଖ ସହର ଗ୍ରେଟର ବେଣ୍ଡିଗୋର ମେୟର ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଭିଷେକ ଅବସ୍ଥି। ଏହାସହ ସେ ଏହି ସମ୍ମାନଜନକ ପଦବୀ ହାସଲ କରିବାରେ ପ୍ରଥମ ମୂଳ ଭାରତୀୟ ବ୍ୟକ୍ତି ଭାବେ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତା ପ୍ରବାସୀ ଭାରତୀୟ ସମାଜରେ ଖୁସିର ଲହରୀ ଖେଳାଇ ଦେଇଛି।
ଭାରତର ହିମାଚଳ ପ୍ରଦେଶର ମଣ୍ଡି ସହରର ବାସିନ୍ଦା ଅଭିଷେକ ୨୦୦୮ ମସିହାରେ ଜଣେ ଅନ୍ତର୍ଜାତୀୟ ଛାତ୍ର ଭାବେ ଅଷ୍ଟ୍ରେଲିଆକୁ ଯାଇଥିଲେ। ସେଠାକାର ଲା ଟ୍ରୋବ୍ ବିଶ୍ୱବିଦ୍ୟାଳୟରୁ ବାୟୋଟେକ୍ନୋଲୋଜି ଏବଂ ବାୟୋଇଣ୍ଫରମେଟିକ୍ସରେ ଉଚ୍ଚଶିକ୍ଷା ଗ୍ରହଣ କରିବା ସହ ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ ପାଠପଢ଼ା ସମୟରେ ପାର୍ଟ-ଟାଇମ କାମ ମଧ୍ୟ କରିଥିଲେ। ପରେ ୨୦୧୫ ମସିହାରେ ସେ ଅଷ୍ଟ୍ରେଲିଆର ନାଗରିକତ୍ୱ ହାସଲ କରିଥିଲେ ଏବଂ ସ୍ଥାନୀୟ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ।
ସ୍ଥାନୀୟ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରି ସେ ମାତ୍ର ଦୁଇ ବର୍ଷ ପୂର୍ବେ କାଉନସିଲର ଭାବେ ନିର୍ବାଚିତ ହୋଇଥିବାବେଳେ ବର୍ତ୍ତମାନ ୨୦୨୬-୨୭ କାର୍ଯ୍ୟକାଳ ପାଇଁ ମେୟର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା କେବଳ ତାଙ୍କ ପରିବାର କିମ୍ବା ହିମାଚଳ ପ୍ରଦେଶ ନୁହେଁ, ବରଂ ସମଗ୍ର ଭାରତବର୍ଷ ପାଇଁ ଏକ ବଡ଼ ଗର୍ବ ଓ ଗୌରବର ବିଷୟ ପାଲଟିଛି। ମେୟର ପଦ ଗ୍ରହଣ କରିବା ପରେ ସେ ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ବିକାଶ, ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସାଧାରଣ ନାଗରିକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
