ଲଦାଖ: ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଅଞ୍ଚଳରେ ୪ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିଛି । ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିଛନ୍ତି ଭାରତ-ଚୀନ୍ । ବର୍ତ୍ତମାନ ଉଭୟ ଦେଶର ସେନା ସେମାନଙ୍କ ପାରମ୍ପରିକ ପୋଷ୍ଟରେ ମୁତୟନ ହେବେ ।
ପ୍ରତିରକ୍ଷା ବିଭାଗର ସୂତ୍ର ଅନୁସାରେ, ଏଲଏସିରୁ ଭାରତ ଓ ଚୀନ୍ ସେନା ପ୍ରତ୍ୟାହାର କରିବା ସହ ଟେଣ୍ଟ ଗୁଡ଼ିକ ମଧ୍ୟ ହଟାଇ ଦେଇଛନ୍ତି । ଏହି ପଦକ୍ଷେପ ଅନୁସାରେ ଦୁଇ ଦେଶ ମଧ୍ୟରେ ନୂଆ ଶାନ୍ତି ଅଧ୍ୟାୟର ଆରମ୍ଭ ବୋଲି କୁହାଯାଉଛି । ଏବେ ସୀମାରେ ନିୟମିତ ପାଟ୍ରୋଲିଂ କରାଯିବ ।
ସୂଚନାଯୋଗ୍ୟ, ଏପ୍ରିଲ ୨୦୨୦ରେ ଚୀନ୍ ସେନା ପୂର୍ବ ଲଦାଖ ଅଞ୍ଚଳକୁ ଜବରଦଖଲ କରିବାକୁ ଚେଷ୍ଟା କରିଥିଲା । ଏହାକୁ ନେଇ ଭାରତୀୟ ସେନା ତୀବ୍ର ଆପତ୍ତି ପ୍ରକାଶ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ରକ୍ତାକ୍ତ ସଂଘର୍ଷରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିଲେ । ଏଥିରେ ୪୦ରୁ ଅଧିକ ଚୀନ୍ ସୈନିକ ପ୍ରାଣ ହରାଇଥିଲେ ମଧ୍ୟ ଏହାର ତଥ୍ୟ ସାର୍ବଜନୀନ ହୋଇନଥିଲା ।
ବର୍ତ୍ତମାନ ଏବେ ଏଲଏସିରେ ୨୦୨୦ର ସ୍ଥିତି ଫେରିବା ଉଭୟ ଦେଶ ପାଇଁ ବହୁତ ବଡ଼ ଆଶ୍ବସ୍ତିର କାରଣ ହୋଇଛି । ଆଗକୁ ଯେପରି ଏହା ବଜାୟ ରହିବ ସେନେଇ କମାଣ୍ଡରସ୍ତରୀୟ ବୈଠକ ଜାରି ରହିବ ବୋଲି କୁହାଯାଇଛି ।