Latest Odisha News

BREAKING NEWS

ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ପଦକ୍ଷେପ, ପାକ୍ ବିମାନ ପାଇଁ ଏନଓଟିଏଏମକୁ ମାସେ ବୃଦ୍ଧି କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର ଆଉ ଏକ ବଡ଼ ପଦକ୍ଷେପ। ପାକିସ୍ତାନ ବିମାନ ପାଇଁ NOTAMକୁ ମାସେ ବୃଦ୍ଧି କଲା ଭାରତ। ଜୁନ୍ ୨୩ ଯାଏଁ ପାକିସ୍ତାନୀ ବିମାନ ପାଇଁ ନିଜ ଏୟାରସ୍ପେସ୍ ବନ୍ଦ କଲା ଭାରତ । ପୂର୍ବରୁ ପାକିସ୍ତାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସରକାର ମେ ୨୩ ପର୍ଯ୍ୟନ୍ତ NOTAM ଜାରି କରିଥିଲେ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନୀ ଯାତ୍ରୀବାହୀ ବିମାନ ଏବଂ ସାମରିକ ବିମାନ ଭାରତୀୟ ଆକାଶ ମାର୍ଗରେ ପ୍ରବେଶ କରିପାରିବ ନାହିଁ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ଏପ୍ରିଲ ୨୨ରେ ପାକିସ୍ତାନୀ ବିମାନ ସେବା ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଦେଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଏହା ପରେ ଭାରତ ଅପରେସନ ସିନ୍ଦୂର ଅଧୀନରେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ପରେ ପାକିସ୍ତାନୀ ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା।

ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନୂତନ NOTAM (ବିମାନ କର୍ମଚାରୀଙ୍କୁ ନୋଟିସ୍) ଅନୁଯାୟୀ, ପାକିସ୍ତାନ ଜୁନ୍ ୨୪ ପର୍ଯ୍ୟନ୍ତ ଭାରତୀୟ ବିମାନ ପାଇଁ ତାର ଆକାଶ ମାର୍ଗ ବନ୍ଦ ରଖିଛି। ଏହି ପ୍ରତିବନ୍ଧକକୁ ୨୪ ଜୁନ୍ ୨୦୨୫ ସକାଳ ୪:୫୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତରେ ପଞ୍ଜିକୃତ, ପରିଚାଳିତ, ମାଲିକାନା କିମ୍ବା ଲିଜ୍ ହୋଇଥିବା ସମସ୍ତ ବିମାନ ଏହି ପ୍ରତିବନ୍ଧକର ଅଧୀନରେ ରହିବ।

ବିବୃତ୍ତିରେ କୁହାଯାଇଛି ଯେ ଏହି ପ୍ରତିବନ୍ଧକ ଭାରତୀୟ ସାମରିକ ବିମାନ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଭାରତୀୟ ବିମାନ କମ୍ପାନୀ କିମ୍ବା ଅପରେଟରମାନଙ୍କ ଦ୍ୱାରା ପରିଚାଳିତ କୌଣସି ବିମାନକୁ ପାକିସ୍ତାନୀ ଆକାଶ ସୀମା ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ।

ଉଲ୍ଲେଖ ଥାଉକି ଯେ ବୁଧବାର ହଠାତ୍ ଝଡ଼ବର୍ଷାର ସମ୍ମୁଖୀନ ହୋଇଥିବା ଦିଲ୍ଲୀ-ଶ୍ରୀନଗର ଉଡ଼ାଣରେ କାର୍ଯ୍ୟରତ ଇଣ୍ଡିଗୋ ପାଇଲଟ ଲାହୋର ଏୟାର ଟ୍ରାଫିକ କଣ୍ଟ୍ରୋଲଙ୍କୁ ଫୋନ କରିଥିଲେ। ପାକିସ୍ତାନ ଆକାଶପଥ ବ୍ୟବହାର କରି ଝଡ଼ବର୍ଷାକୁ ଏଡ଼ାଇବା ପାଇଁ ଅନୁମତି ମାଗିଥିଲେ। କିନ୍ତୁ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ପାକିସ୍ତାନ। ପ୍ରତିକୂଳ ପାଗ ଏବଂ କୁଆପଥର ମାଡ ଯୋଗୁଁ ମଝି ଆକାଶରେ ବିମାନ ଟଳମଳ ହୋଇଥିଲା ବିମାନରେ ୨୨୭ ଜଣ ଯାତ୍ରୀ ଥିଲେ । ଏହି ବିମାନରେ TMC ସାଂସଦ ସାଗରିକା ଘୋଷଙ୍କ ସମେତ ୫ ଜଣ ସଦସ୍ୟ ଥିଲେ।

ସୌଭାଗ୍ୟବଶତଃ ବିମାନଟି ସନ୍ଧ୍ୟା ୬.୩୦ରେ ଶ୍ରୀନଗରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ପାଇଲଟ୍ ଓ କ୍ରିଉ ମେମ୍ବରଙ୍କ ଉଦ୍ୟମରେ ବିମାନଟି ସୁରକ୍ଷିତ ଭାବେ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରିବାରେ ସଫଳ ହୋଇଥିଲେ। ତେବେ ମଝି ଆକାଶରେ ଏଭଳି ଅଘଟଣ ମୃତ୍ୟୁ ନିକଟ ଅନୁଭୂତି ଆଣିଥିଲେ ଯାତ୍ରୀ। ପ୍ରତିକୂଳ ପାଗ ଏବଂ କୁଆପଥର ମାଡ ଯୋଗୁଁ ମଝି ଆକାଶରେ ବିମାନ ଟଳମଳ ହୋଇଥିଲା । ଯାହାଫଳରେ ବିମାନର ନୋଜ୍ କ୍ଷତିଗ୍ରସ୍ତ ହୋଇଥିଲା ।

Comments are closed.