Latest Odisha News

BREAKING NEWS

ଏମିତି ଜଣେ ମୁଖ୍ୟମନ୍ତ୍ରୀ, ଯିଏ ସାଥିରେ ଧରି ବୁଲୁଥିଲେ ସାଇନାଇଡ୍ କ୍ୟାପ୍‌ସୁଲ୍

ଭୁବନେଶ୍ୱର: ସ୍ୱାଧିନତା ସଂଗ୍ରାମୀ, ରାଜନୈତିକ ବ୍ୟକ୍ତିତ୍ୱ ତଥା ଭାରତର ପ୍ରଥମ ମହିଳା ଭାବେ ସୁଚେତା କ୍ରିପ୍‌ଲାନୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ସୁଚେତାଙ୍କୁ ନେଇ ଅତୀତରେ ଅନେକ ରହସ୍ୟମୟ ତଥା ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା । ହେଲେ ଆଜି ସୁଚେତା ଓ ସାଇନାଇଡ୍ କ୍ୟାପ୍‌ସୁଲ୍ ମଧ୍ୟରେ ଥିବା ସଂପର୍କକୁ ଆମେ ଉଜାଗର କରିବାକୁ ଯାଉଛି ।

୧୯୦୮, ପଂଜାବ (ବର୍ତ୍ତମାନର ହରିୟାଣା) ଅମ୍ବାଲାରେ ଜନ୍ମିଥିବା ସୁଚେତା ବନାରସ୍ ହିନ୍ଦୁ ୟୁନିଭର୍ସିଟିରେ ଲେକ୍‌ଚରର୍ ସାଜିଥିଲେ । ସମୟ ଅତିବାହିତ ହେବା ସହ ୧୯୩୬ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ଜଣାଶୁଣା ଚେହେରା ଜେ.ବି କ୍ରିପଲାନୀଙ୍କୁ ବିବାହ କରିଥିଲେ । ଏହି ବିବାହକୁ ଉଭୟଙ୍କ ପରିବାର ଲୋକଙ୍କ ସମେତ ଖୋଦ ମହାତ୍ମା ଗାନ୍ଧୀ ମଧ୍ୟ ବିରୋଧ କରିଥିଲେ । ହେଲେ ଏହି ବିବାହ କଂଗ୍ରେସ ଦଳକୁ ଆଉ ଜଣେ କର୍ମୀ ଯୋଗାଇବ କହି ଉଭୟ ମହାତ୍ମା ଗାନ୍ଧୀଙ୍କ ମନ ପରିବର୍ତ୍ତନ କରିପାରିଥିଲେ ।

ବିବାହ ପରେ ସୁଚେତା କଂଗ୍ରେସ ଦଳରେ ପାଦ ଥାପିଥିଲେ । ୧୯୪୨, ଭାରତ ଛାଡ ଆନ୍ଦୋଳନରେ ସାମିଲ ହୋଇ ସେ ଅରୁଣା ଅସଫ୍ ଅଲ୍ଲି ଓ ଅନ୍ୟ ନେତ୍ରୀଙ୍କ ସହ ଆଗଧାଡିକୁ ଆସିପାରିଥିଲେ । କଂଗ୍ରେସର ମହିଳା ମୋର୍ଚ୍ଚାର ସେ ସାଜିଥିଲେ ପ୍ରଥମ ଅଧ୍ୟକ୍ଷ । ତେବେ ସେ ସମୟରେ ସୁଚେତା ସଦାସର୍ବଦା ନିଜ ସହ ସାଇନାଇଡ୍ କ୍ୟାପ୍‌ସୁଲ୍ ଧରି ବୁଲୁଥିବା ଘଟଣା ପ୍ରାୟ ଅନେକଙ୍କୁ ଜଣା ନଥିଲା ।

କାହିଁକି ସାଥିରେ ଧରି ବୁଲୁଥିଲେ ସାଇନାଇଡ୍ କ୍ୟାପ୍ସୁଲ ?

୧୯୪୬ ମସିହାରେ ନାଓଖାଲିରେ (ବର୍ତ୍ତମାନର ବଙ୍ଗଳାଦେଶ) ଦଙ୍ଗା ଲାଗି ରହିଥିଲା । ସ୍ୱାମୀ ଜେ.ବି କ୍ରିପ୍‌ଲାନୀ ଓ ମହାତ୍ମା ଗାନ୍ଧୀଙ୍କ ସହ ସୁଚେତା ଦଙ୍ଗା ପ୍ରଭାବିତ ଅଂଚଳକୁ ପରିଦର୍ଶନ କରିଥିଲେ । ସେହି ସମୟରେ ମହିଳାଙ୍କ ଅପହରଣ ଓ ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣାର ଅଭିବୃଦ୍ଧି ଘଟିଥିଲା । ଖାସ ଏହି କାରଣରୁ ସୁଚେତା ନିଜ ସହ ଏକ ସାଇନାଇଡ୍ କ୍ୟାପ୍‌ସୁଲ୍ ରଖୁଥିଲେ ।

ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହେବା ପରେ ମଧ୍ୟ ସୁଚେତା ନିଜ ପାଖରେ ସାଇନାଇଡ୍ କ୍ୟାପ୍ସୁଲ ରଖୁଥିଲେ । ନିଜ ରାଜନୈତିକ ଜୀବନରେ ସେ ୧୯୬୦ରୁ ୧୯୬୩ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ସରକାର ଅଧିନରେ ଶ୍ରମ ମନ୍ତ୍ରାଳୟ, ଗୋଷ୍ଠୀ ଉନ୍ନୟନ ଓ ଶିଳ୍ପ ମନ୍ତ୍ରୀ ରୂପେ ସକ୍ରିୟ ଥିଲେ । ପରେ ୧୯୬୩, ଅକ୍ଟୋବର ମାସରେ ସେ ଭାରତର ପ୍ରଥମ ମହିଳା ଭାବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ ।

Comments are closed, but trackbacks and pingbacks are open.