Latest Odisha News

BREAKING NEWS

ସାବଧାନ୍ ! ଆବଶ୍ୟକତାଠାରୁ ଅଧିକ ଲୁଣ ଖାଉଛନ୍ତି କି?

ନୂଆଦିଲ୍ଲୀ: ଲୁଣ ବିନା ଖାଦ୍ୟରେ ସ୍ବାଦ ଆସେନି । ହେଲେ ଖାଇବାକୁ ସ୍ବାଦିଷ୍ଟ କରୁଥିବା ଲୁଣରେ ଲୁଚି ରହିଛି ସ୍ବାସ୍ଥ୍ୟ ପାଇଁ ଅନେକ ବିପଦ। ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇଲେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏବେ ଖାଦ୍ୟ ରୁଚି ବଦଳିଥିବା ବେଳେ ଲୋକେ ଚିପ୍ସ ଓ ପ୍ରୋସେସଡ ଖାଦ୍ୟ ଅଧିକ ଖାଉଛନ୍ତି । ତେବେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଏପିଡେମିଓଲୋଜି ପକ୍ଷରୁ ଏନେଇ ସତର୍କ କରାଯାଇଛି । ଅଧିକ ଲୁଣ ଖାଇବା ଯୋଗୁଁ ଦେଶରେ ଧୀରେ ଧୀରେ ଲୋକ ଉଚ୍ଚ ରକ୍ତଚାପ, ହୃଦରୋଗ ଭଳି ଗମ୍ଭୀର ରୋଗରେ ପୀଡ଼ିତ ହେଉଛନ୍ତି । ସମୟ ଥାଉ ଥାଉ ଏନେଇ ସାବଧାନ ନହେଲେ ଲୁଣ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।

ଆବଶ୍ୟକଠାରୁ ଅଧିକ ଲୁଣ ଖାଉଛନ୍ତି କି?

ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଭାରତରେ ଅଧିକାଂଶ ଲୋକ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଉଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ, ଭଲ ସ୍ବାସ୍ଥ୍ୟ ପାଇଁ ଜଣେ ବ୍ୟକ୍ତି ଦିନକୁ ୫ଗ୍ରାମରୁ କମ୍ ଲୁଣ ଖାଇବା ଉଚିତ୍ । ହେଲେ ଭାରତର ସହରାଞ୍ଚଳରେ ଲୋକେ ଦୈନିକ ପ୍ରାୟ ୯.୨ଗ୍ରାମ ଲୁଣ ଖାଉଥିବା ବେଳେ ଗ୍ରାମାଞ୍ଚଳରେ ୫.୬ଗ୍ରାମ ଲୁଣ ଖାଉଛନ୍ତି । ଯାହା ସୁରକ୍ଷିତ ସୀମାଠାରୁ ଅଧିକ ରହିଛି । ଏଭଳି ସ୍ଥିତିରେ କମ୍ ସୋଡିୟମ କମ୍ ଥିବା ଲୁଣ ଖାଇବାକୁ ପରାମର୍ଶ ଦେଉଛନ୍ତି ବୈଜ୍ଞାନିକ । ଏଥିରେ ଲୁଣର କିଛି ଅଂଶକୁ ପୋଟାସିୟମ ଓ ମ୍ୟାଗନେସିୟମ ଭଳି ମିନେରାଲ୍ସରେ ବଦଳାଯାଏ । କମ୍ ସୋଡିୟମଯୁକ୍ତ ଲୁଣ ଉଚ୍ଚରକ୍ତଚାପ ସହ ସୁସ୍ଥ ହୃଦୟ ପାଇଁ ବି ବେଶ୍ ଲାଭଦାୟକ ।

ଲୁଣ କମ୍ କରିବାକୁ ପଦକ୍ଷେପ

ଡାଏଟରେ ଲୁଣ କମ୍ କରିବାକୁ ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିୟୋଲୋଜି ପକ୍ଷରୁ ପଞ୍ଜାବ ଓ ତେଲେଙ୍ଗାନାରେ ତିନି ବର୍ଷିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମଆର ସହଯୋଗରେ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ଉଚ୍ଚରକ୍ତଚାପରେ ପୀଡିତଙ୍କୁ କମ୍ ଲୁଣ ଖାଇବା ନେଇ ପରାମର୍ଶ ଦେବା ସହ ଏହାର ଫାଇଦା ନେଇ ବୁଝାଯାଉଛି । ସୁସ୍ଥ ଖାଦ୍ୟାଭ୍ୟାସ ଦ୍ବାରା ଅଧିକ ଲୁଣ ଯୋଗୁଁ ହେଉଥିବା ରୋଗ ରୋକିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।

ତମାଖୁ ପରି ବିପଜ୍ଜନକ ଜଙ୍କ ଫୁଡ୍

ଏମସ ନାଗପୁର ସମେତ ନାଗପୁରର ସମସ୍ତ କେନ୍ଦ୍ରୀୟ ସଂସ୍ଥାନକୁ ତେଲ ଓ ଚିନି ନେଇ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏଥିରେ ବଡ଼ାପାଓ, ପକୋଡି, ଲଡୁ, ସିଙ୍ଗଡ଼ା, ଜିଲାପି ପରି ଖାଦ୍ୟରେ ରହିଥିବା ଫ୍ୟାଟ୍ ଓ ଚିନିର ମାତ୍ରା ନେଇ ସ୍ପଷ୍ଟ ଭାବେ ଲେଖିବାକୁ କୁହାଯାଇଛି । ଚିନି ଓ ଟ୍ରାନ୍ସଫ୍ୟାଟ୍ ଏବେ ନୂଆ ତମାଖୁ । ତେଣୁ ସିଗାରେଟ୍ ଚେତାବନୀ ଭଳି ଖାଦ୍ୟରେ କେତେ ପରିମାଣରେ ଚିନି ଓ ଚର୍ବି ଜାତୀୟ ମାତ୍ରା ରହିଛି ସେନେଇ ଖାଉଥିବା ଲୋକେ ଜାଣିବା ଉଚିତ୍ ବୋଲି କାର୍ଡିଓଲୋଜି ସୋସାଇଟି ଅଫ୍ ଇଣ୍ଡିଆର ନାଗପୁର ଶାଖାର ଅଧ୍ୟକ୍ଷ ଡାକ୍ତର ଅମର ଆମଲେ କହିଛନ୍ତି ।

ଖାଇବାକୁ ମନା ନାହିଁ, ଜାଣିବା ଜରୁରୀ

ଜଙ୍କଫୁଡ୍ ଓ ଅଧିକ ମାତ୍ରାରେ ଚିନିଥିବା ଖାଦ୍ୟ ପାଇଁ ଦେଶରେ ମେଦବହୁଳତା ବଢୁଛି । ୨୦୫୦ ସୁଦ୍ଧା ଦେଶର ୪୪କୋଟିରୁ ଅଧିକ ଲୋକ ମେଦବହୁଳତାର ଶିକାର ହେବେ ବୋଲି ଆକଳନ କରାଯାଉଛି । ଏଭଳି ହେଲେ ଆମେରିକା ପରେ ମେଦବହୁଳତା ରୋଗରେ ଦ୍ବିତୀୟ ସର୍ବାଧିକ ପ୍ରଭାବିତ ଦେଶ ହେବ ଭାରତ । ତେଣୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏହି ନିର୍ଦ୍ଦେଶ ଖାଇବା ଉପରେ ରୋକ୍ ଲଗାଇବନି ବରଂ ଲୋକେ କଣ ଖାଉଛନ୍ତି ସେନେଇ ସଚେତନ ହେବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଏହାକୁ ମଧୁମେହ, ହୃଦରୋଗ ଓ ଉଚ୍ଚରକ୍ତଚାପ ଭଳି ରୋଗ ବିରୋଧରେ ବଡ଼ ପଦକ୍ଷେପ କୁହାଯାଉଛି । ପ୍ରଥମ ସହର ଭାବେ ନାଗପୁରରେ ଏହାକୁ ଲାଗୁ କରାଯିବ । ସେଠାରେ ଖାଇବା ଉପରେ ରୋକ୍ ଲାଗିବନି । ହେଲେ ସବୁ ଲୋଭନୀୟ ଖାଦ୍ୟ ପାଖରେ ରଙ୍ଗୀନ ସାଂକେତିକ ବୋର୍ଡ ରହିବ । ସେଥିରେ ବୁଝିସୁଝି ଖାଇବାକୁ ପରାମର୍ଶ ଦିଆଯିବ ।

Comments are closed.