ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ରାଫେଲ ଓ ସୁଖୋଇ!
ମହାଯୁଦ୍ଧାଭ୍ୟାସରେ ଆକ୍ସନ୍ ମୋଡ୍ରେ ଭାରତୀୟ ବାୟୁସେନା
‘ଅପରେସନ୍ ସିନ୍ଦୂର’ ପରେ ପୁଣି ଆକ୍ସନ୍ ମୋଡ୍ରେ ଭାରତୀୟ ବାୟୁସେନା। ପାକିସ୍ତାନ ସୀମାରେ ୪ ଦିନ ଧରି ଗର୍ଜିବ ରାଫେଲ, ସୁଖୋଇ ସମେତ ଅତ୍ୟାଧୁନିକ ଯୁଦ୍ଧ ବିମାନ। ଏଥିପାଇଁ ଜାରି ହୋଇଛି NOTAM। ତେବେ କାହିଁକି ଏତେ ବଡ଼ ପ୍ରସ୍ତୁତି?
ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନାର ଶକ୍ତିର ବଡ଼ ପ୍ରଦର୍ଶନ । ଜୁଲାଇ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ବାରମେର ଏବଂ ଗୁଜରାଟର ଅହମଦାବାଦ-ରାଜକୋଟ ଅଞ୍ଚଳରେ ହେବ ବିଶାଳ ଯୁଦ୍ଧାଭ୍ୟାସ। ଏହି ସମୟରେ ରାଫେଲ, ସୁଖୋଇ ଓ ଅନ୍ୟ ଆଧୁନିକ ଯୁଦ୍ଧ ବିମାନ ଆକାଶରେ ନିଜର କ୍ଷମତା ପ୍ରଦର୍ଶନ କରିବେ।
ଏହି ଅଭ୍ୟାସ ପାଇଁ ୨୮ ହଜାର ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆକାଶପଥକୁ ବାୟୁସେନା ପାଇଁ ସଂରକ୍ଷିତ କରାଯାଇଛି। ଏଥିପାଇଁ NOTAM, ଅର୍ଥାତ୍ Notice to Air Missions ଜାରି କରାଯାଇଛି। ଏହା ଏକ ଆନ୍ତର୍ଜାତୀୟ ବିମାନ ସୁରକ୍ଷା ବ୍ୟବସ୍ଥା, ଯାହା ମାଧ୍ୟମରେ ପାଇଲଟ୍, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଓ ବିମାନ ସଂସ୍ଥାମାନଙ୍କୁ ପୂର୍ବରୁ ସତର୍କ କରାଯାଏ, ଯାହାଫଳରେ ସାଧାରଣ ବିମାନ ଚଳାଚଳରେ କୌଣସି ବିପଦ ନଉପୁଜେ ।
ଏହି ଯୁଦ୍ଧାଭ୍ୟାସ କେବଳ ବିମାନ ଉଡ଼ାଣରେ ସୀମିତ ନୁହେଁ। ଏଥିରେ ଏୟାର ଡିଫେନ୍ସ ସିଷ୍ଟମ୍ ପରୀକ୍ଷା, ଏୟାର ସର୍ଭେଲାନ୍ସ, ଗ୍ରାଉଣ୍ଡ ଓ ଏୟାର ୟୁନିଟ୍ ମଧ୍ୟରେ ସମନ୍ୱୟ, ଯୁଦ୍ଧ ସମୟର ରଣନୀତି ଓ ବାସ୍ତବ ପରିସ୍ଥିତିରେ ଅଭିଯାନ ପରିଚାଳନାର ଅଭ୍ୟାସ କରାଯିବ। ଆବଶ୍ୟକ ପଡ଼ିଲେ ମିସାଇଲ୍ ପରୀକ୍ଷା ଓ ଫାଇଟର ଜେଟ୍ରୁ ଫାୟାରିଂ ମଧ୍ୟ ହୋଇପାରେ।
ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ପାକିସ୍ତାନ ସୀମା ଲାଗିଥିବା ପଶ୍ଚିମ କମାଣ୍ଡ ସବୁବେଳେ ସମ୍ବେଦନଶୀଳ ରହିଛି। ଅନୁପ୍ରବେଶ, ଡ୍ରୋନ୍ ଅନୁପ୍ରବେଶ ଓ ନିଶାଦ୍ରବ୍ୟ ଚୋରାଚାଲାଣକୁ ମୁକାବିଲା କରିବା ପାଇଁ ଏଭଳି ଯୁଦ୍ଧାଭ୍ୟାସ ଅତ୍ୟନ୍ତ ଜରୁରୀ। ଏହା ନୂଆ ଫାଇଟର ପାଇଲଟ୍ମାନଙ୍କୁ ବାସ୍ତବ ଯୁଦ୍ଧ ପରିସ୍ଥିତିରେ କିପରି ଶତ୍ରୁକୁ ମୁକାବିଲା କରିବାକୁ ହେବ, ସେଥିପାଇଁ ମଧ୍ୟ ପ୍ରସ୍ତୁତ କରିଥାଏ।
ଭାରତୀୟ ବାୟୁସେନାର ଏହି ମହାଯୁଦ୍ଧାଭ୍ୟାସ ପୁଣି ଥରେ ସ୍ପଷ୍ଟ କରିଦେଇଛି ଯେ, ଦେଶର ସୁରକ୍ଷା ସହ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ।