ନୂଆଦିଲ୍ଲୀ: ଆଜି ଘର ବାହୁଡିବେ ଶୁଭାଂଶୁ । ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ୧୮ ଦିନ ବିତାଇବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ । ଆକ୍ସିଅମ୍-୪ ମିଶନ ଅଧୀନରେ, ସେ ଏବଂ ଅନ୍ୟ ତିନି ଜଣ ମହାକାଶଚାରୀ ୧୪ ଜୁଲାଇରେ ଅର୍ଥାତ୍ ଆଜି ସେମାନଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବେ। ଏନେଇ ନାସା ଦେଇଥିବା ସୂଚନା ଅନୁଯାୟୀ, ୧୫ ଜୁଲାଇରେ ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ ୩ ଟାରେ ପୃଥିବୀରେ ସେମାନଙ୍କର ସୁରକ୍ଷିତ ଅବତରଣ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଏହି ସମୟରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆକ୍ସିଅମ୍-୪ ମିଶନର ଶେଷ ଭାରତକୁ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ଏଥିସହିତ ନିଜର ବିଦାୟ ଭାଷଣରେ, ସେ ଦେଶବାସୀଙ୍କୁ ହିନ୍ଦୀରେ ସମ୍ବୋଧିତ କରି କହିଥିଲେ, ତୁମର ଏବଂ ମୋର ଯାତ୍ରା ଏପର୍ଯ୍ୟନ୍ତ ବହୁତ ଲମ୍ବା । ଯଦି ଆମେ ଦୃଢ଼ ସଂକଳ୍ପବଦ୍ଧ, ତେବେ ତାରା ମଧ୍ୟ ଆମ ପାଖରେ ଅଛି । ୪୧ ବର୍ଷ ପୂର୍ବେ ରାକେଶ ଶର୍ମା ମହାକାଶରୁ ଭାରତକୁ ଦେଖିଥିଲେ, ଏବେ ବିଶ୍ୱ ଜାଣିବାକୁ ଚାହୁଁଛି ଯେ ଆଜିର ଭାରତ କିପରି ଦେଖାଯାଉଛି। ଆଜିର ଭାରତ ମହତ୍ୱାକାଂକ୍ଷୀ, ନିର୍ଭୀକ, ଆତ୍ମବିଶ୍ୱାସୀ ଏବଂ ଗର୍ବରେ ପରିପୂର୍ଣ୍ଣ ଦେଖାଯାଉଛି… ଏବଂ ଆଜି ମଧ୍ୟ ଏହା ‘ସାରେ ଜହାଁ ସେ ଆଚ୍ଛା’ ଦେଖାଯାଉଛି ବୋଲି କହି ଦେଶବାସୀଙ୍କୁ ଭାବୁକ କରିଛନ୍ତି ଶୁଭାଂଶୁ । ସେ ଏହା ବି କହିଛନ୍ତି ଯେ, ଏହି ଯାତ୍ରା ତାଙ୍କ ପାଇଁ ବହୁତ ଅବିଶ୍ୱସନୀୟ ଏବଂ ଆଶ୍ଚର୍ଯ୍ୟଜନକ । ସେ ଏବଂ ତାଙ୍କ ସାଥିଙ୍କୁ ଯେତେବେଳେ ସମୟ ମିଳୁଥିଲା, ସେ ଝରକା ଦେଇ ପୃଥିବୀକୁ ଦେଖୁଥିଲେ ଏବଂ ସେହି ଦୃଶ୍ୟ ତାଙ୍କୁ ଯାଦୁ ପରି ଲାଗୁଥିଲା ବୋଲି କହିଛନ୍ତି । ଏତିସହିତ ଏହି ମିଶନକୁ ସମ୍ଭବ କରିବା ପାଇଁ ମୁଁ ଭାରତ ଏବଂ ଇସ୍ରୋକୁ ଧନ୍ୟବାଦ ଜଣାଇଛନ୍ତି ସେ । ନାସା, ଆକ୍ସିଅମ୍ ସ୍ପେଶ୍, ସ୍ପେଶ୍ ଏକ୍ସକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ଶୁଭାଂଶୁ ।
ଶୁକ୍ଳା କହିଛନ୍ତି ଯେ ସେ ଏହି ମିଶନରୁ ମୂଲ୍ୟବାନ ଅଭିଜ୍ଞତା ଏବଂ ସ୍ମୃତି ସହିତ ଫେରୁଛନ୍ତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ହେଉଛି ଯେ ଯେତେବେଳେ ସମଗ୍ର ବିଶ୍ୱ ଏକ ଲକ୍ଷ୍ୟ ପାଇଁ ଏକାଠି କାମ କରେ, ମାନବଜାତି କ’ଣ କରିପାରିବ ନାହିଁ, ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ।
ସେପଟେ ନାସା ସୂଚନା ଦେଇଛି ଯେ ଏହି ମିଶନରେ ସାମିଲ ମହାକାଶଚାରୀମାନେ ମହାକାଶରୁ ଅନେକ ବିରଳ ଏବଂ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ସାମଗ୍ରୀ ସହିତ ଫେରୁଛନ୍ତି। ଏଥିରେ ୫୮୦ ପାଉଣ୍ଡ (ପ୍ରାୟ ୨୬୩ କିଲୋଗ୍ରାମ) ଓଜନର ବୈଜ୍ଞାନିକ ଉପକରଣ, ନାସାର ମହାକାଶ ହାର୍ଡୱେୟାର ଏବଂ ୬୦ ରୁ ଅଧିକ ବିଜ୍ଞାନ ପରୀକ୍ଷଣର ତଥ୍ୟ ଅନ୍ତର୍ଭୁକ୍ତ ରହିଛି । ଏହି ପରୀକ୍ଷଣଗୁଡ଼ିକ ମହାକାଶରେ କରାଯାଇଛି ଏବଂ ଭବିଷ୍ୟତର ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ ଚିକିତ୍ସା ବିଜ୍ଞାନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।
ଏଥିସହିତ ନାସା ଏହା ବି କହିଛି, ଯେ ଆକ୍ସିଅମ୍-୪ କ୍ରୁଙ୍କ ସମସ୍ତ ବୈଜ୍ଞାନିକ ପରୀକ୍ଷଣ ସମାପ୍ତ ହୋଇଛି। ଏବେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ସମୟ ଅନୁସାରେ ୧୪ ଜୁଲାଇ ସନ୍ଧ୍ୟା ୪:୩୫ (ସ୍ଥାନୀୟ ସମୟ ସକାଳ ୭:୦୫) ରେ ମହାକାଶ ଷ୍ଟେସନରୁ ‘ଅନଡକିଂ’ ପ୍ରକ୍ରିୟା ଆରମ୍ଭ ହେବ।
ସୂଚନାଯୋଗ୍ୟ, ଡ୍ରାଗନ୍ ମହାକାଶଯାନ ଜୁନ୍ ୨୫ ତାରିଖରେ ଉତକ୍ଷେପଣ କରାଯାଇଥିଲା । ଡ୍ରାଗନ୍ ମହାକାଶଯାନ ଜୁନ୍ ୨୫ ତାରିଖରେ ଆମେରିକାର ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ଆକ୍ସିଅମ୍-୪ ମିଶନ୍ ଅଧୀନରେ ଉତକ୍ଷେପଣ କରାଯାଇଥିଲା । ପ୍ରାୟ ୨୮ ଘଣ୍ଟାର ଯାତ୍ରା ପରେ, ମହାକାଶଯାନ ଜୁନ୍ ୨୬ ତାରିଖରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଥିଲା। ଏହି ମିଶନର ଚାରି ସଦସ୍ୟ ବିଶିଷ୍ଟ ରହିଥିଲା, ଯେଉଁଥିରେ: ପେଗି ହ୍ୱିଟସନ୍ – ମିଶନ କମାଣ୍ଡର, ଶୁଭାଂଶୁ ଶୁକ୍ଳା- ପାଇଲଟ୍, ସ୍ଲାବୋଜ୍ ଉଜନାନସ୍କି-ଭିସ୍ନିୱସ୍କି ଏବଂ ଟିବୋର୍ କାପୁ- ମିଶନ ବିଶେଷଜ୍ଞ ଭାବେ ଆଇଏସଏସକୁ ଉଡାଣ ଭରିଥିଲେ ।
ଏହି ମହାକାଶ ଯାତ୍ରା ଭାରତୀୟ ଶୁଭାଂଶୁ ଶୁକ୍ଳାଙ୍କ ପାଇଁ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ଥିଲା। ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ରେ ପହଞ୍ଚିଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ପୂର୍ବରୁ, ୧୯୮୪ ମସିହାରେ, ରାକେଶ ଶର୍ମା ସୋଭିଏତ୍ ରୁଷର ସାଲ୍ୟୁଟ୍-୭ ମିଶନ ଅଧୀନରେ ମହାକାଶକୁ ଉଡ଼ିଥିଲେ। ଏବେ ଶୁକ୍ଳା ମହାକାଶ ଯାତ୍ରା କରିଥିବା ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ଏହି ଐତିହାସିକ ଯାତ୍ରାରେ, ଶୁକ୍ଳା ତାଙ୍କ ସହିତ ଭାରତର ବିଶେଷ ମିଠା ଓ ଆମ୍ବ ରସ ଏବଂ ଗାଜର ହାଲୱା ମଧ୍ୟ ନେଇଥିଲେ । ଏହା ସେମାନଙ୍କ ପାଇଁ ଘରର ସ୍ୱାଦ ଥିଲା, ଯାହା ମହାକାଶରେ ମଧ୍ୟ ସେମାନଙ୍କ ସହିତ ଥିଲା।
Comments are closed.