Latest Odisha News

BREAKING NEWS

‘ଆମକୁ କାହାର ମଧ୍ୟସ୍ଥି ଦରକାର ନାହିଁ’: ରାହୁଲଙ୍କ ବୟାନରେ ଏମିତି ଉତ୍ତର ରଖିଲେ ଥରୁର୍….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ନେଇ ଏବେ କଂଗ୍ରେସ ଭିତରେ ଚାଲିଛି ବାକଯୁଦ୍ଧ । ପାର୍ଟିର ବଡ ବଡ ନେତା ଅପରେସନ ସିନ୍ଦୂର ନେଇ ନିଜ ନେତାଙ୍କୁ ଦେଉଛନ୍ତି କଡା ଜବାବ । ପୂର୍ବରୁ ଅନେକ ପ୍ରସଙ୍ଗ ନେଇ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଉପରେ, ଅନ୍ୟ କଂଗ୍ରେସ ନେତା ଖପ୍ପା ହୋଇଥିବା ବେଳେ କଡା ସମାଲୋଚନା ବି କରିଥିଲେ । ବିଦେଶରେ ମୋଦି ସରକାରଙ୍କୁ ସମର୍ଥନ କରିବାକୁ ନାପସନ୍ଦ କରିଥିଲେ । ଆଉ ଥରୁରଙ୍କ ସପୋର୍ଟରେ ବାହାରିଥିଲେ ବିଜେପି ନେତା । ଏବେ ପୁଣି ଅପରେସନ ସିନ୍ଦୁର ସମ୍ପର୍କରେ ମୋଦି ସରକାରଙ୍କ ଆତ୍ମସମର୍ପଣ ବିଷୟରେ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ସ୍ପଷ୍ଟିକରଣ ରଖିଛନ୍ତି ଶଶି ଥରୁର । ରାହୁଲ ଅସ୍ତ୍ରବିରତି ନେଇ ମୋଦି ସରକାରଙ୍କୁ ପ୍ରଶ୍ନ କରିଥିବା ବେଳେ, ଏହାର ଜବାବ ରଖି ଥରୁର କହିଛନ୍ତି, ଆମେ ନିଜ ପାଇଁ କେବଳ ଏତିକି କହିପାରିବୁ ଯେ ଆମେ କେବେ କାହାକୁ ମଧ୍ୟସ୍ଥତା କରିବାକୁ କହିନାହୁଁ ।

ତେବେ ୱାଶିଂଟନ ଡିସିରେ ଥରୁରଙ୍କୁ ଏହି ସମ୍ପର୍କିତ ଏକ ପ୍ରଶ୍ନ ପଚରାଯାଇଥିଲା, ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ସଂଘର୍ଷ ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ କଥିତ ମଧ୍ୟସ୍ଥତା ପ୍ରୟାସ ପ୍ରସଙ୍ଗ ନିରନ୍ତର ଉଠାଯାଉଛି । ଏହା ଏକ ପ୍ରଶ୍ନ ଯାହା ଆପଣଙ୍କ ଦଳ ମଧ୍ୟ ନିରନ୍ତର ଉଠାଉଛି । ଯାହାର ଉତ୍ତରରେ ଥରୁର କହିଥିଲେ, ଆମେ ଆମେରିକା ରାଷ୍ଟ୍ରପତିଙ୍କ ପ୍ରତି ବହୁତ ସମ୍ମାନ କରୁ। ଆମେ ନିଜ ପାଇଁ କେବଳ ଏତିକି କହିପାରିବୁ ଯେ ଆମେ କେବେ କାହାକୁ ମଧ୍ୟସ୍ଥତା କରିବାକୁ କହିନାହୁଁ ।  ଯଦି ସେମାନେ(ପାକିସ୍ତାନ) ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିବାକୁ ଚାହାଁନ୍ତି, ତେବେ ଆମେ ସେମାନଙ୍କ ସହିତ କଥା ହୋଇପାରିବୁ। ଯଦି ସେମାନେ ଗମ୍ଭୀର ପଦକ୍ଷେପ ନିଅନ୍ତି ଏବଂ ଭାରତ ସହିତ ସ୍ୱାଭାବିକ ସମ୍ପର୍କ ରଖିବାକୁ ଚାହାଁନ୍ତି ବୋଲି ଦେଖନ୍ତି, ତେବେ ଆମେ ନିଶ୍ଚିତ ଭାବରେ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। ଏଥିପାଇଁ କୌଣସି ମଧ୍ୟସ୍ଥିର ଆବଶ୍ୟକତା ନାହିଁ ।

କହିରଖୁଛୁ, ପୂର୍ବରୁ ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କଂଗ୍ରେସର ‘ସଂଗଠନ ସୃଜନ ଅଭିଯାନ’ ସମୟରେ ଅଭିଯୋଗ କରିଥିଲେ ଯେ ଭାରତ-ପାକିସ୍ତାନ ସାମରିକ ସଂଘର୍ଷ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ୍ କଲ୍ ରେ ଆତ୍ମସମର୍ପଣ କରିଥିଲେ। ସେ କହିଥିଲେ, ୧୯୭୧ ଯୁଦ୍ଧରେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମୁଣ୍ଡ ନୁଆଁଇ ନଥିଲେ, ଯଦିଓ ଆମେରିକା ଏହାର ସପ୍ତମ ନୌବାହିନୀ ପଠାଇଥିଲା । ଆମେରିକାର ଧମକ ସତ୍ତ୍ୱେ ଭାରତ ୧୯୭୧ ରେ ପାକିସ୍ତାନକୁ ଭାଙ୍ଗି ଦେଇଥିଲା । ଇତିହାସ ସାକ୍ଷୀ। ଏହା ବିଜେପି-ଆରଏସଏସର ଚରିତ୍ର, ସେମାନେ ସର୍ବଦା ମୁଣ୍ଡ ନୁଆଁଇ ଥାଆନ୍ତି। କଂଗ୍ରେସର ବବର ଶେର ଏବଂ ସିଂହୀ ‘ସୁପରପାୱାର’ ସହିତ ଲଢ଼ନ୍ତି, କେବେ ମୁଣ୍ଡ ନୁଆଁନ୍ତି ନାହିଁ ବୋଲି ମନ୍ତବ୍ୟ ରଖିଥିଲେ ରାହୁଲ ।

ଯାହାକୁ ନେଇ ବିଜେପି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ‘ଆତ୍ମସମର୍ପଣ’ ମନ୍ତବ୍ୟ ଦେଇ ସଶସ୍ତ୍ର ବାହିନୀର ଅପମାନ କରୁଥିବା ଅଭିଯୋଗ କରିଥିଲା । କହିଥିଲା, ଏହା ‘ଅପରେସନ୍ ସିନ୍ଦୂର’ର ସଫଳତାକୁ କମ୍ ଆକଳନ କରିବା ସହିତ ସମାନ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଏହାକୁ ସମୋଲୋଚନା କରି କହିଥିଳେ, ପଡ଼ୋଶୀ ଦେଶର ସମର୍ଥନରେ କହିବାରେ କଂଗ୍ରେସ ନେତା ପାକିସ୍ତାନୀ ସେନା ମୁଖ୍ୟ, ଏହାର ପ୍ରଧାନମନ୍ତ୍ରୀ ଏବଂ ଏହାର ଆତଙ୍କବାଦୀ ନେତାମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବ୍ୟଙ୍ଗ ଏକ “ରୋଗଗ୍ରସ୍ତ ଏବଂ ବିପଦପୂର୍ଣ୍ଣ ମାନସିକତା”କୁ ପ୍ରତିଫଳିତ କରେ। କଂଗ୍ରେସ ଶାସନ ସମୟରେ ଘଟିଥିବା ଐତିହାସିକ ଘଟଣା, ଯେପରିକି ଭାରତ ବିଭାଜନ, ଚୀନ ଏବଂ ପାକିସ୍ତାନ ଦ୍ୱାରା ଭାରତୀୟ ଅଞ୍ଚଳ ଦଖଲ, ଇତିହାସ ନେହେରୁ-ଗାନ୍ଧୀ ପରିବାରର ଏପରି “ଆତ୍ମସମର୍ପଣ”ରେ ପରିପୂର୍ଣ୍ଣ ବୋଲି ସେ କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ “ଭାରତ ମାତାର ମୃଗେନ୍ଦ୍ର (ସିଂହ)” ବୋଲି କହିଥିଲେ । ଏତିସହିତ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଆତ୍ମସମର୍ପଣର ଇତିହାସ ଥାଇପାରେ, କିନ୍ତୁ ଭାରତ କେବେବି କାହା ନିକଟରେ ଆତ୍ମସମର୍ପଣ କରିବ ନାହିଁ ବୋଲି କହିଥିଲେ ।

Comments are closed.