ନୂଆଦିଲ୍ଲୀ: ପୁଣି ଘନେଇ ଆସୁଛି କରୋନା ବିପଦ । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ ୩ ଦିନ ଭିତରେ ପାଖାପାଖି ୨୦୦୦ ବୃଦ୍ଧି ପାଇଲାଣି ସଂକ୍ରମଣ ସଂଖ୍ୟା । ବୁଧବାର ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪,୩୦୨ ଥିଲା ବେଳେ, ଆଜି ଅର୍ଥାତ୍ ଗୁରୁବାର ୪୮୬୬କୁ ବୃଦ୍ଧି ପାଇଛି । ଖୁବଶୀଘ୍ର ଏହା ୫ ହଜାର ଛୁଇଁବ ବୋଲି ଆକଳନ କରାଯାଇଛି । ଅନ୍ୟପକ୍ଷରେ, ଆଶ୍ୱସ୍ତିର କଥା ହେଉଛି ଯେ ଏହି ରୋଗରୁ ଅନେକ ରୋଗୀ ସୁସ୍ଥ ମଧ୍ୟ ହେଉଛନ୍ତି। ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଥିବା ରୋଗୀଙ୍କ ସଂଖ୍ୟା ୩୯୫୫କୁ ବୃଦ୍ଧି ପାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୦୫ଟି କରୋନା ମାମଲା ପଞ୍ଜିକୃତ ହୋଇଛି, ମୋଟ ସକ୍ରିୟ ମାମଲା ସଂଖ୍ୟା ୫୬୨କୁ ବୃଦ୍ଧି ପାଇଛି। ସେହି ସମୟରେ, ସାରା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଏଥିମଧ୍ୟରୁ ଦିଲ୍ଲୀରେ ୨ ଜଣଙ୍କ, କର୍ଣ୍ଣାଟକରେ ୨ ଜଣଙ୍କ ଏବଂ ମହାରାଷ୍ଟ୍ରରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।
ତେବେ ଦ୍ରୁତ ଗତିରେ କରୋନା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଧ୍ୟ, ମାମଲା ଗୁଡିକୁ ଗମ୍ଭୀର ବୋଲି ନେଇନାହାନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ବାରମ୍ବାର ଏହି ଭାରିଆଣ୍ଟ ଅତ୍ୟନ୍ତ ଚିନ୍ତାର ବିଷୟ ନୁହେଁ ବୋଲି କହୁଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଡବ୍ଲୁଏଚଓ ମଧ୍ୟ ଏହାର ପ୍ରକାରକୁ ଏତେ ଗମ୍ଭୀର ବୋଲି ଧରିନାହିଁ । ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଉଥିଲେ ମଦ୍ୟ ଏପରି କାହିଁକି? କାରଣ ପରିଲକ୍ଷିତ ହେଉଥିବା ନୂତନ ଭାରିଆଣ୍ଟ ଜିନୋମ୍ ସିକୋଇନ୍ସିଂରେ କୋଭିଡ୍-୧୯ର ନୂତନ ଓମିକ୍ରୋନ୍ ଉପ-ଭାରିଆଣ୍ଟ୍ LF.7, XFG, JN.1 ଏବଂ NB.1.8.1, ଏହାର ଗମ୍ଭୀରତା କମ୍ ଥିବା ରିପୋର୍ଟ କରାଯାଉଛି ଏବଂ ଅଧିକାଂଶ ରୋଗୀ ଘରେ ଚିକିତ୍ସିତ ହେଉଛନ୍ତି । ତଥାପି ମାସ୍କ ପରିଧାନ ଏବଂ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଏଥିସହିତ ଭାଇରସରୁ ସଂକ୍ରମିତଙ୍କ ଲକ୍ଷଣ ଫ୍ଲୁର ଲକ୍ଷଣ ଭଳି । ଏକ୍ସପର୍ଟଙ୍କ କହିବାନୁଯାୟୀ, ଏପରି ହେଉଛି କାରଣ ଭାରତରେ କୋଭିଡ୍ ବିରୁଦ୍ଧରେ ଏକ୍ବାୟର୍ଡ ଇମ୍ୟୁନିଟି କାମ କରୁଛି । ଯାହାଦ୍ବାରା କରୋନାରେ ସଂକ୍ରମିତ ହେଲେବି ଏହା ଅଧିକ ଲୋକଙ୍କୁ ପ୍ରଭାବିତ କରୁନି । ତେବେ ସଂକ୍ରମଣ କିମ୍ବା ଟୀକାକରଣ ଦ୍ୱାରା ଜଣେ ବ୍ୟକ୍ତି ଧୀରେ ଧୀରେ ପ୍ରାପ୍ତ ହେଉଥିବା ପ୍ରତିରକ୍ଷା ଶକ୍ତି ହେଉଛି ଏକ୍ବାୟର୍ଡ ଇମ୍ୟୁନିଟି ବା ଅର୍ଜିତ ରୋଗ ପ୍ରତିରୋଧକ ଶକ୍ତି। ଯାହା ଆମ ଶରୀରରେ ଏକ ଭାଇରସ କିମ୍ବା ଜୀବାଣୁକୁ ଚିହ୍ନିଥାଏ ଏବଂ ଏହା ବିରୁଦ୍ଧରେ ସୁରକ୍ଷା ପ୍ରସ୍ତୁତ କରିଥାଏ। ଏହି ପ୍ରକ୍ରିୟା ଶରୀରରେ ଆଣ୍ଟିବଡି ଏବଂ ମେମୋରୀ ସେଲ୍ ଉତ୍ପାଦନ କରେ, ଯାହା ଭବିଷ୍ୟତରେ କୋଭିଡ୍ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରେ । ଆଉ ଗତ ୫ ବର୍ଷ ମଧ୍ୟରେ ଅନେକ ଥର କୋଭିଡ୍ ଭାଇରସରେ ଭାରତ ସଂକ୍ରମିତ ହୋଇଛି । ଯେଉଁ ଭାଇରସ ସହ ଆମ ଶରୀର ପରିଚିତ । ଏପରି ପରିସ୍ଥିତିରେ, ରୋଗ ପ୍ରତିରୋଧକ ଶକ୍ତିଏ ,ହାକୁ ପ୍ରତିରୋଧ କରିବାରେ ଆହୁରି ଅଧିକ ଶକ୍ତିଶାଳୀ ହେଉଛି, ଆଉ ଏହାକୁ ଶରୀରକୁ ଅଧିକ ପ୍ରଭାବିତ କରିବାରୁ ରୋକୁଛି ।
ତଥାପି ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି। ପୁଣି ଥରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଏବଂ ଦୁଇ ଗଜ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି। ଏହା ସହିତ, କୋଭିଡ୍ ଯୋଗୁଁ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଡାକ୍ତରଖାନାଗୁଡ଼ିକରେ ପ୍ରସ୍ତୁତି ଜୋରଦାର କରାଯାଇଛି ଏବଂ ସମସ୍ତ ପ୍ରକାରର ଆବଶ୍ୟକୀୟ ଜିନିଷ ସଂଗ୍ରହ କରାଯାଉଛି ।
Comments are closed.