India offers condolences: ଇରାନ ସୁପ୍ରିମ ଲିଡର ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ;ଶୋକ ପୁସ୍ତକରେ ସ୍ବାକ୍ଷର କଲେ…
ନୂଆଦିଲ୍ଲୀ : ଖାମେନେଇଙ୍କ ମୃତ୍ୟୁରେ ଭାରତ ଶୋକ ପ୍ରକାଶ କରିଛି। ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିଶ୍ର ଦିଲ୍ଲୀସ୍ଥିତ ଇରାନ ଦୂତାବାସକୁ ଯାଇ ଶୋକ ପୁସ୍ତକରେ (Condolence Book) ସ୍ୱାକ୍ଷର କରିଛନ୍ତି ଏବଂ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ଇସଲାମିକ୍ ଗଣରାଜ୍ୟ ଇରାନର ୮୬ ବର୍ଷୀୟ ପୂର୍ବତନ ସର୍ବୋଚ୍ଚ ନେତା ଖାମେନେଇ୧୯୮୯ ମସିହାରୁ ଦେଶକୁ ଶାସନ କରିଆସୁଥିଲେ।
Foreign Secretary Shri Vikram Misri visited the Embassy of the Islamic Republic of Iran and signed the condolence book, on behalf of the people and the Government of India, on the demise of Supreme Leader Ayatollah Syed Ali Khamenei. pic.twitter.com/lOODHeI5fm
— Randhir Jaiswal (@MEAIndia) March 5, 2026
ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଖାମେନେଇଙ୍କ ପରିସରରେ ୩୦ଟି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଖାମେନେଇଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ପତ୍ନୀ ମନସୁରେହ ଖୋଜାସ୍ତେହ ବାଘେରଜାଦେହ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଥିଲେ ଏବଂ ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଖାମେନେଇଙ୍କ ପତ୍ନୀ ମନସୁରେହ ୧୯୬୪ ମସିହାରେ ଖାମେନେଇଙ୍କୁ ବିବାହ କରିଥିଲେ। ସେ ସାର୍ବଜନୀନ ଜୀବନରୁ ଦୂରରେ ରହିଥିଲେ ଏବଂ ସରକାରୀ କାର୍ଯ୍ୟକ୍ରମରେ କ୍ୱଚିତ୍ ଦେଖାଯାଉଥିଲେ।
ଏହି ଆକ୍ରମଣର ଜବାବରେ ଇରାନ ଉପସାଗରୀୟ ଦେଶଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ମାଡ଼ କରିବା ଆରମ୍ଭ କରିଦେଇଛି। ଇରାନ ପ୍ରଥମେ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା, କିନ୍ତୁ ପରେ ସାଧାରଣ ନାଗରିକ ବାସ କରୁଥିବା ଅଞ୍ଚଳଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କରିବା ଆରମ୍ଭ କରିଥିଲା। ଇରାନ ସାଉଦି ଆରବ, ବହାରିନ, ୟୁଏଇ, କତର ଏବଂ କୁୱେତ ସମେତ ଅନେକ ଦେଶକୁ ଟାର୍ଗେଟ କରିଛି। ଇରାନ ବର୍ତ୍ତମାନ ସବୁଠାରୁ ବଡ ତୈଳ ଯୋଗାଣ ପଥ ହୋର୍ମୁଜ୍ ପ୍ରଣାଳୀକୁ ମଧ୍ୟ ଅବରୋଧ କରିଛି।
ଗୁରୁବାର ଦିନ ଇରାନ ଇସ୍ରାଏଲୀ ଏବଂ ଆମେରିକୀୟ ଘାଟି ଉପରେ ନୂତନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଇରାନ ଧମକ ଦେଇଛି ଯେ ଭାରତ ମହାସାଗରରେ ଇରାନର ଯୁଦ୍ଧଜାହାଜ ଉପରେ ଆକ୍ରମଣ କରିବା ପାଇଁ ଆମେରିକା ପଶ୍ଚାତାପ କରିବ। ଏହି ସମୟରେ, ଇସ୍ରାଏଲ କହିଛି ଯେ ଏହା ତେହେରାନ ଉପରେ ଏକ ବଡ଼ ଆକ୍ରମଣ କରିଛି।
ଏପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରାଚ୍ୟ ସଙ୍କଟ ପାଇଁ ଦାୟୀ ସମସ୍ତ ପକ୍ଷଙ୍କୁ ତୁରନ୍ତ ଶତ୍ରୁତା ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ସାମରିକ ମୁକାବିଲା ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ ।