ନୂଆଦିଲ୍ଲୀ: ଘରୋଇ ପରିବେଶରେ ଭାରତ ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । କ୍ରମାଗତ ୩ଟି ମ୍ୟାଚରେ ଭାରତ ବିଜୟୀ ହୋଇ ଭଲ ସ୍ଥିତିରେ ରହିଛି । ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇବା ପରେ ଏବେ ବାଂଲାଦେଶ ବିପକ୍ଷ ମୁକାବିଲା ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ ହୋଇଛି । ଏହି ମ୍ୟାଚ ପାଇଁ ଭାରତ ନୂତନ ରଣନୀତି ପ୍ରସ୍ତୁତ କରିବ ବୋଲି ଅଧିନାୟକ ରୋହିତ ଶର୍ମା ସୂଚନା ଦେଇଛନ୍ତି । ଅଭ୍ୟାସ ସେଶନରେ ରୋହିତ ନିଜେ ଦୀର୍ଘ ସମୟ ବୋଲିଂ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ରୋହିତଙ୍କ ପାଇଁ ବଡ ସମସ୍ୟା ହେଉଛି ଯେ, ବାଂଲାଦେଶ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅତିରିକ୍ତ ପେସର ଭାବେ ଚାହୁଁ ନ ଥିବା ବେଳେ ରବିଚନ୍ଦ୍ରନ ଅଶ୍ୱୀନ ପ୍ରତି ବିଶ୍ୱାସ ଅତୁଟ ରଖିପାରୁ ନାହାନ୍ତି ।
ରୋହିତ ଶର୍ମା ଭଲ ସ୍ପିନ ବୋଲିଂ କରି ପାରନ୍ତି । ସେ ଯଦି ନେଟ୍ସରେ ଠିକ ଭାବେ ଅଭ୍ୟାସ କରିବେ ତେବେ ଅତିରିକ୍ତ ବୋଲର ଭୂମିକା ମଧ୍ୟ ତୁଲାଇପାରିବେ ବୋଲି ସଞ୍ଜୟ ମଂଜ୍ରେକର ଆଶା ବ୍ୟକ୍ତ କରିଛନ୍ତି । ବାଂଲାଦେଶକୁ ଆଉ ଥରେ ନାଗିନ ଡ୍ୟାନ୍ସ କରାଇବା ପାଇଁ ଭାରତ କେବେ ହେଲେ ସୁଯୋଗ ଦେବାକୁ ଚାହିଁବ ନାହିଁ । ବର୍ତମାନ ଫର୍ମ ଓ ପ୍ରଦର୍ଶନ ବିଚାରକୁ ନେଲେ ବାଂଲାଦେଶ ନିଶ୍ଚିତ ଭାବେ ଚାପରେ ରହିବ । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲ ପ୍ରବେଶ ଆଶା ମଜଭୁତ କରିବାକୁ ଚାହିଁବ ।
Comments are closed.