ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀକୁ ନେଇ ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଚରମସୀମାରେ ପହଞ୍ଚିଛି। କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ଅମିତ ଶାହ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହେବା ପରେ ହଇଚଇ ସୃଷ୍ଟି ହୋଇଛି।
ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୈସୱାଲ କହିଛନ୍ତି ଯେ ଭାରତକୁ ବଦନାମ ତଥା ଅନ୍ୟ ଦେଶକୁ ପ୍ରଭାବିତ କରିବା ପାଇଁ କାନାଡାର ଅଧିକାରୀମାନେ ଜାଣିଶୁଣି ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଭିତ୍ତିହୀନ ଅଭିଯୋଗ ଲିକ୍ କରିଛନ୍ତି। ଏନେଇ କାନାଡାର ଉଚ୍ଚ ଅଧିକାରୀ ମାନଙ୍କୁ ସମନ କରାଯାଇଛି।
ସେ ଆହୁରି ମଧ୍ଯ କହିଛନ୍ତି ଯେ ଏପରି କରିବା ଦ୍ବାରା ଦୁଇ ଦେଶ ମଧ୍ଯରେ ଥିବା ସମ୍ପର୍କ ଉପରେ ଖରାପ ପ୍ରଭାବ ପଡିପାରେ। ତେବେ ଭାରତୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଷୟରେ କାନାଡା ମନ୍ତ୍ରୀଙ୍କ ମନ୍ତବ୍ୟକୁ ‘ଅବୈଧ ଏବଂ ଭିତ୍ତିହୀନ’ ବୋଲି କୁହାଯାଇଛି ଏବଂ ଏହାକୁ ତୀବ୍ର ବିରୋଧ ମଧ୍ୟ କରାଯାଇଛି।
ନିକଟରେ କାନାଡାରେ ନାଗରିକ ପ୍ରତିରକ୍ଷା ଏବଂ ଜାତୀୟ ସୁରକ୍ଷା କମିଟିର ଶୁଣାଣି ଚାଲିଥିଲା। ଏହି ଶୁଣାଣିରେ କାନାଡାର ଉପ-ବୈଦେଶିକ ମନ୍ତ୍ରୀ ଡେଭିଡ ମୋରିସନ୍ କହିଛନ୍ତି ଯେ ୱାଶିଂଟନ୍ ପୋଷ୍ଟରକୁ ଲିକ କରିବାରେ ଏବଂ କାନାଡାରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ଟାର୍ଗେଟ କରିବାରେ ଭାରତୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କର ହାତ ଅଛି।
କାନାଡାର ଏହି ଅଭିଯୋଗକୁ ନେଇ ଆମେରିକା ଚିନ୍ତା ପ୍ରକାଶ କରିଛି ଓ କାନାଡା ସରକାରଙ୍କ ସହିତ ପରାମର୍ଶ ଜାରି ରଖିବ ବୋଲି କହିଛି।
ଏହା ବ୍ୟତୀତ କାନାଡା ସଂସଦରେ ଦିପାବଳୀ ଉତ୍ସବ ବାତିଲ ହେବାକୁ ନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ କାନାଡାର ବର୍ତ୍ତମାନର ପରିସ୍ଥିତି ଅସହିଷ୍ଣୁତା ଏବଂ ଉଗ୍ରବାଦ ସ୍ତରରେ ପହଞ୍ଚି ସାରିଛି। ଭାରତୀୟ ନାଗରିକଙ୍କ ପାଇଁ ଭିଜା ସଂଖ୍ୟା କମୁଥିବା ମାମଲାକୁ ନେଇ କାନାଡା ସରକାର ଉପରେ ମନ୍ତ୍ରଣାଳୟ କହିଛି ଯେ କାନାଡାରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କ ସୁରକ୍ଷା ପାଇଁ ଆମେ କଡା ପଦକ୍ଷେପ ନେବୁ।
Comments are closed.