ଟରୋଣ୍ଟୋ: କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ଉତ୍ତର ଆମେରିକାରେ କ୍ରିକେଟର ପ୍ରସାର ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଆସନ୍ତା ବର୍ଷ (୨୦୨୭) ଜୁଲାଇ ମାସରେ ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଆମେରିକା କିମ୍ବା କାନାଡାରେ ଖେଳାଯିବାର ଯୋଜନା ରହିଛି । ୨୦୨୭-୩୧ ଫ୍ୟୁଚର ଟୁର୍ସ ପ୍ରୋଗ୍ରାମ୍ ଅନୁଯାୟୀ, ଆସନ୍ତା ବର୍ଷ ଜୁଲାଇରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ଏହି ୫ଟି ଟି-୨୦ ମଧ୍ୟରୁ ୨ଟି ମ୍ୟାଚ୍ ଉତ୍ତର ଆମେରିକାର କୌଣସି ଗୋଟିଏ ଭେନ୍ୟୁରେ ଆୟୋଜିତ ହେବ । ଏହି ଦୁଇଟି ମ୍ୟାଚ୍ ଆୟୋଜନ କରିବା ପାଇଁ ୱାଶିଂଟନ୍ ଡିସି ଏବଂ ଟରୋଣ୍ଟୋ ସବୁଠାରୁ ଆଗରେ ଅଛନ୍ତି ।
ଏହା ବ୍ୟତୀତ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ କ୍ରିକେଟ୍ ଭେନ୍ୟୁ ପୋମୋନା ଏବଂ ଫ୍ଲୋରିଡାର ଲଡରହିଲ୍ ମଧ୍ୟ ବିକଳ୍ପ ଭାବେ ବିଚାରାଧୀନ ଅଛି । ଆମେରିକା ଓ କାନାଡାରେ ବସବାସ କରୁଥିବା ବିପୁଳ ସଂଖ୍ୟକ ଭାରତୀୟ ଏବଂ କ୍ୟାରିବିୟାନ୍ ପ୍ରବାସୀ ଦର୍ଶକଙ୍କୁ ଆକୃଷ୍ଟ କରିବା ସହ ୨୦୨୮ ଅଲିମ୍ପିକ୍ସ ପୂର୍ବରୁ ଉତ୍ତର ଆମେରିକା ବଜାରରେ କ୍ରିକେଟକୁ ମଜବୁତ କରିବା ପାଇଁ ଏହି ଯୋଜନା କରୁଥିବା ଅଧ୍ୟକ୍ଷ କିଶୋର ଶାଲୋ ସୂଚନା ଦେଇଛନ୍ତି । ବର୍ତ୍ତମାନ ଉତ୍ତର ଆମେରିକାରେ କୌଣସି ଟେଷ୍ଟ ମ୍ୟାଚ୍ ଆୟୋଜନ କରିବାର ଯୋଜନା ନାହିଁ ଏବଂ କେବଳ ହ୍ୱାଇଟ୍-ବଲ୍ କ୍ରିକେଟ୍ ଉପରେ ଧ୍ୟାନ ଦିଆଯାଉଛି । ଅନ୍ୟପଟେ ୨୦୨୮ରେ ୱେଷ୍ଟଇଣ୍ଡିଜ୍ ତା’ର ପ୍ରଥମ ଟେଷ୍ଟ ମ୍ୟାଚ୍ର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଇଂଲଣ୍ଡର ଲର୍ଡସ୍ ମଇଦାନରେ ଏକ ଐତିହାସିକ ଟେଷ୍ଟ ଖେଳିବ ।
