ରାୟଗଡା:ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓଙ୍କ ଜାମିନ ଆବେଦନ ଖାରଜ । ଆବେଦନ ଖାରଜ କଲେ ରାୟଗଡ଼ା ଜିଲ୍ଲା ଦୌରାଜଜ୍ । ରାୟଗଡ଼ାର ବହୁଚର୍ଚ୍ଚିତ ୨୦୧୦ ମସିହାର ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ ଆଜି ବଡ଼ ଝଟକା ଲାଗିଛି ।
ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଜାମିନ ଆବେଦନ ଖାରଜ ହେବା ପରେ ଭାସ୍କର ରାଓଙ୍କୁ ପୁଣିଥରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପଟେ ନିମ୍ନ ଅଦାଲତରେ ଜାମିନ ନାମଞ୍ଜୁର ହେବା ପରେ ଏବେ ଭାସ୍କର ରାଓ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି ।
ଗତ ୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ ଭାସ୍କର ରାଓ। ଏହାପରେ ଜାମିନ ପାଇଁ ଜିଲ୍ଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲେ। ହେଲେ ଆଜି ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି।
୨୦୧୦ ଡିସେମ୍ବର ୨୩ ରେ ରାୟଗଡା ଥାନାରେ ରୁଜୁ ହୋଇଥିବା ଏହି ହତ୍ୟା ମାମଲାରେ ହାଇକୋର୍ଟଙ୍କ ଜାମିନ ଆଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ଦେଇଥିଲେ ନିର୍ଦ୍ଦେଶ। ମାମଲାରେ ମୋଟ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଆତ୍ମସମର୍ପଣ କରିଥିଲେ।
