ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ସମ୍ପର୍କରେ ଏବେ ଉତ୍ତେଜନା ଦେଖାଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବଳ ଯେ ଭାରତ ଉପରେ ୨୫% ଶୁଳ୍କ ଲଗାଇଛନ୍ତି ତା ନୁହେଁ, ଭାରତ ବିରୁଦ୍ଧରେ ଅପମାନଜନକ ବିବୃତ୍ତି ମଧ୍ୟ ଦେଇଛନ୍ତି ଟ୍ରମ୍ପ । ଯଦିଓ ଭାରତ ଶାନ୍ତ ଅଛି, କାରଣ ଆମର ବୈଦେଶିକ ନୀତି ସର୍ବଦା ବହୁତ ଧର୍ଯ୍ୟବାନ ରହିଛି । କିନ୍ତୁ ଏବେ ବ୍ଲୁମବର୍ଗର ଏକ ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପଙ୍କ ଟାରିଫ୍ ପରେ ଭାରତ ଆମେରିକାକୁ କହିଛି ଯେ ସେ ଆଉ ଏଫ-୩୫ ଗୁପ୍ତ ଯୁଦ୍ଧ ବିମାନ କିଣିବ ନାହିଁ । ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଫେବୃଆରୀରେ ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ସମୟରେ ନିଜେ ଏଫ-୩୫ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଭାରତ ଏବେ ଏହାକୁ ନକିଣିବା ପାଇଁ ଚିନ୍ତା କରିଛି ।
କ’ଣ କହିଛି ରିପୋର୍ଟ?
ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଭାରତ ଆମେରିକୀୟ ଅଧିକାରୀମାନଙ୍କୁ କହିଛି ଯେ ସେ ଏଫ-୩୫ ଗୁପ୍ତ ଯୁଦ୍ଧ ବିମାନ କିଣିବାରେ ବର୍ତ୍ତମାନ ଆଗ୍ରହୀ ନୁହେଁ । ଏଥିସହିତ କାଳେ ଭାରତ ଏହା ବି କହିଛନ୍ତି ଯେ, ୱାଶିଂଟନ ଦିଲ୍ଲୀ ଉପରେ ଉଚ୍ଚ ମୂଲ୍ୟର ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର କିଣିବାକୁ ନିରନ୍ତର ଚାପ ପକାଇ ଆସୁଛି, କିନ୍ତୁ ମୋଦି ସରକାର ନିକଟ ଭବିଷ୍ୟତରେ ଆମେରିକା ସହିତ କୌଣସି ପ୍ରକାରର ପ୍ରତିରକ୍ଷା ଚୁକ୍ତି କରିବାକୁ ମନା କରିଦେଇଛନ୍ତି । ଏହା ବ୍ୟତୀତ ଏପ୍ରିଲରେ ଭାରତ ଗସ୍ତରେ ଆସିଥିବା ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ କହିଛନ୍ତି ଯେ ଆମେରିକା ଭାରତକୁ ଏଫ-୩୫ ଗୁପ୍ତ ବିମାନ ବିକ୍ରୟ କରିବାକୁ ପ୍ରସ୍ତୁତ । କିନ୍ତୁ ଏବେ ଟ୍ରମ୍ପ ରୁଷିଆ ତେଲ କିଣିବା ପାଇଁ ଭାରତ ବିରୁଦ୍ଧରେ ୨୫ ପ୍ରତିଶତ ଶୁଳ୍କ ଏବଂ ଜରିମାନା ଲଗାଇଥିବାରୁ, ଭାରତ ମନସ୍ଥ କରିସାରିଛି ଯେ ଏବେ ଆମେରିକାରୁ ଏଫ-୩୫ ଷ୍ଟେଲ୍ଥ ଜେଟ୍ କିଣିବ ନାହିଁ । ଏଥିସହିତ ରିପୋର୍ଟ ଏହା ବି ଦାବି କରିଛି ଯେ ନୂଆଦିଲ୍ଲୀ ଏପରି ଏକ ପ୍ରତିରକ୍ଷା ସହଭାଗୀତା ଖୋଜୁଛି, ଯେଉଁଥିରେ ୧୦୦ ପ୍ରତିଶତ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର, ଭାରତକୁ ଯୁଦ୍ଧ ବିମାନ ଉତ୍ପାଦନ ଏବଂ ସୋର୍ସ କୋଡ୍ ଦେବା ଅନ୍ତର୍ଭୁକ୍ତ ରହିବ ।
ରୁଷ ଦେଲା ବଡ ଅଫର
ଆମେରିକା ସହ ବିବାଦ ମଧ୍ୟରେ ରୁଷ ଭାରତକୁ ଏବେ ବଡ ଅଫର ଦେଇଛି । ରୁଷ କହିଛି ଯେ ଯଦି ଭାରତ ଏସୟୁ-୫୭ କିଣେ, ତେବେ ସେ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରିବାକୁ, ସୋର୍ସ କୋଡ୍ ଦେବାକୁ ଏବଂ ଭାରତରେ ହିଁ ଉତ୍ପାଦନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି । ଏହା ବ୍ୟତୀତ, ଭାରତର ପ୍ରତିରକ୍ଷା ସଚିବ ଏହି ନିକଟରେ କହିଥିଲେ ଯେ ଭାରତ ଏହାର ବନ୍ଧୁ ଦେଶରୁ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ କିଣିବା ବିଷୟରେ ଗମ୍ଭୀରତାର ସହିତ ବିଚାର କରୁଛି। ଯଦିଓ ସେ କୌଣସି ଦେଶର ନାମ ନେଇନାହାଁନ୍ତି, କିନ୍ତୁ ବର୍ତ୍ତମାନ ଭାରତ ଆମେରିକାକୁ ମନା କରିଦେଇଛି, ଆଉ ସେହି ବନ୍ଧୁ ଦେଶ ଋଷ ଏବଂ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ବର୍ତ୍ତମାନ ରୁଷୀୟ ଲଢୁଆ ବିମାନ ଏସୟୁ-୫୭ ନେଇ ଚର୍ଚ୍ଚା ହେଉଛି । ଏଥିସହିତ ରୁଷ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିଛି ଯେ, ଏସୟୁ-୫୭ଇକୁ ଭାରତରେ ଏଚଏଏଲର ନାସିକ ପ୍ଲାଣ୍ଟରେ ୬୦% ପର୍ଯ୍ୟନ୍ତ ସ୍ଥାନୀୟକରଣ ସହିତ ଏକତ୍ରିତ କରାଯାଇପାରିବ। ଆଉ ଯଦି ଏପରି ହୁଏ ଭାରତ ଏହାର ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଯେପରିକି ଅସ୍ତ୍ର ଏୟାର ଟୁ ଏୟାର ମିସାଇଲ, ରୁଦ୍ରମ ଆଣ୍ଟି-ରେଡିଏସନ୍ ସିଷ୍ଟମ୍ ଏବଂ ନିଜର ଏଇଏସଏ ରାଡାର ସ୍ଥାପନ କରିପାରିବ । ଏହା ବ୍ୟତୀତ, ଭାରତ ଏଥିରେ ବ୍ରହ୍ମୋସ୍ ମିସାଇଲ ମଧ୍ୟ ସ୍ଥାପନ କରିପାରିବ, ଯାହା ଏପର୍ଯ୍ୟନ୍ତ ରାଫେଲରେ ମଧ୍ୟ ସ୍ଥାପନ କରାଯାଇ ନାହିଁ ।
କାହିଁକି ଭାରତ ଚାହୁଁନି ଏଫ-୩୫?
ଆମେରିକାର ପଞ୍ଚମ ପିଢିର ଲଢୁଆ ବିମାନ ଏଫ-୩୫ ଏକ ବ୍ୟାୟବହୁଳ ଯୁଦ୍ଧ ବିମାନ । ଏହାର ମୂଲ୍ୟ ଢେର୍ ଅଧିକ ସହିତ ଏହାର ନିରନ୍ତର ଉଡ଼ାଣ ଚଳାଇ ରଖିବା ପାଇଁ ବହୁତ ଖର୍ଚ୍ଚ ହୁଏ । ଏହା କେବଳ ଏକ ଯୁଦ୍ଧ ବିମାନ ନୁହେଁ, ବରଂ ଏକ ଧଳା ହାତୀ ପରି, ଯାହାର ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଡଲାର ଖର୍ଚ୍ଚ ହୋଇପାରେ। ଆମେରିକା ନିଜେ ଏଫ-୩୫ ୟୁନିଟର ରକ୍ଷଣାବେକ୍ଷଣ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ସକ୍ଷମ ନୁହେଁ । ପ୍ରତି କାର୍ଯ୍ୟକ୍ଷମ ଘଣ୍ଟାରେ ଏହାର ଖର୍ଚ୍ଚ ୩୫ ହଜାର ଡଲାରରୁ ଅଧିକ ଖର୍ଚ୍ଚ ହୁଏ ବୋଲି ଆକଳନ କରାଯାଇଛି । ଏହାବ୍ୟତୀତ ସମର୍ଥନ ଭିତ୍ତିଭୂମିରେ ଏତେ ଖର୍ଚ୍ଚ ହେଉଛି ଯେ ଏହା ଭାରତ ପାଇଁ ଅଣବ୍ୟର୍ଥ ହୋଇଯାଏ । ଏଥିସହିତ ଭାରତ ଏହା ନକିଣିବା ପଛର ଏକ ବଡ କାରଣ ଏହା ବି ହୋଇପାରେ କି କେହି ଏଫ-୩୫ର ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର କରନ୍ତି ନାହିଁ, ସୋର୍ସ କୋଡ୍ ତ ଦୂରର କଥା । କିନ୍ତୁ ରୁଷୀୟ ଏସୟୁ-୫୭ ସହିତ କୌଣସି ସର୍ତ୍ତ ନାହିଁ ।
Comments are closed.