Latest Odisha News

BREAKING NEWS

ଭାରତରେ ଆୟୋଜିତ ହୋଇପାରେ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ

ନୂଆଦିଲ୍ଲୀ: ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର ୨୦୨୫ ସଂସ୍କରଣ ଟୋକିଓରେ ଆୟୋଜିତ ହେବ । ଏଥିନେଇ ପ୍ରଶଂସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଆନ୍ତର୍ଜାତୀୟ ସଫଳତା ଭାରତୀୟ ଆଥଲେଟିକ୍ସପ୍ରେମୀଙ୍କୁ ବେଶ ଉତ୍ସାହିତ କରିଛି । ଭାରତ ଏବେ ଏହି ଚାମ୍ପିୟନଶିପ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ୱାର୍ଲ୍ଡ ଚାମ୍ପିୟନଶିପର ୨୦୨୯ ଓ ୨୦୩୧ ସଂସ୍କରଣ ପାଇଁ ଭାରତ ବିଡ ଦାଖଲ କରିବା ପାଇଁ ଯୋଜନା କରୁଛି । ଆଥଲେଟିକ୍ସ ଫେଡେରେଶନ ଅଫ ଇଣ୍ଡିଆର ପୂର୍ବ ଅଧ୍ୟକ୍ଷ ଆଦିଲ ସୁମରିୱାଲ ଏହା କହିଛନ୍ତି । ୧ ଅକ୍ଟୋବର ୨୦୨୫ ସୁଦ୍ଧା ୱାର୍ଲ୍ଡ ଆଥଲେଟିକ୍ସକୁ ଭାରତ ବିଡ ସମ୍ପର୍କରେ ବିଧିବଦ୍ଧ ଭାବେ ସୂଚନା ପ୍ରଦାନ କରିବ । ଏହା ପରେ ସେପ୍ଟମ୍ବର ୨୦୨୬ରେ ଏଥିପାଇଁ ବିଡ ଦାଖଲ କରିବାକୁ ପଡିବ ।

୨୦୨୫ ଓ ୨୦୨୭ ସଂସ୍କରଣ ଏସିଆରେ ଆୟୋଜିତ ହୋଇଥିବାରୁ ୨୦୨୯ ଆୟୋଜକ ଅଧିକାର ହାତେଇବା ଭାରତ ପାଇଁ କଷ୍ଟକର ହୋଇପାରେ । ସେଥିପାଇଁ ୨୦୩୧ ନିମନ୍ତେ ମଧ୍ୟ ଭାରତ ବିଡ ଦାଖଲ କରିବ । ଏହା ବ୍ୟତୀତ ଜୁନିୟର ୱାର୍ଲ୍ଡ ଚାମ୍ପିୟନଶିପ ୨୦୨୮ ପାଇଁ ମଧ୍ୟ ଭାରତ ଉଦ୍ୟମ ଆରମ୍ଭ କରିଛି । ଏବେ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର ୨୦୨୯ ଓ ୨୦୩୧ ଆୟୋଜନ ଅଧିକାର ଭାରତକୁ ମିଳିବ କି ନାହିଁ ସେଥିପାଇଁ ଅପେକ୍ଷା କରିବାକୁ ପଡିବ ।

Comments are closed.