ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଏକ ପ୍ରମୁଖ ବାଣିଜ୍ୟକ ଚୁକ୍ତି ହେବାକୁ ଯାଉଛି। ଏହାରି ମଧ୍ୟରେ ଜଣାପଡିଛି ଯେ ୟୁରୋପୀୟ ସଂଘରୁ ଆମଦାନି ହେଉଥିବା କାର ଉପରୁ ଶୁଳ୍କ ହ୍ରାସ କରିବାକୁ ଯୋଜନା କରୁଛି ଭାରତ।
ବର୍ତ୍ତମାନ ଏହି ଶୁଳ୍କ ୧୧୦ ପ୍ରତିଶତ ରହିଥିବା ବେଳେ ଏହାକୁ ୪୦ ପ୍ରତିଶତକୁ ହ୍ରାସ କରାଯାଇପାରେ। ଯଦି ଏହା ହୁଏ, ତେବେ ମର୍ସିଡିଜ୍ ଏବଂ BMW ଭଳି କାର ଭାରତରେ ଯଥେଷ୍ଟ ଶସ୍ତା ହୋଇଯିବ। ରିପୋର୍ଟ ଅନୁଯାୟୀ, ଭାରତ ସରକାର ୟୁରୋପୀୟ ସଂଘରୁ ଆମଦାନି ହେଉଥିବା କାର ଉପରେ ଶୁଳ୍କ ହ୍ରାସ କରିବାକୁ ରାଜି ହୋଇଛନ୍ତି, ଯଦି ସେମାନଙ୍କର ଆମଦାନି ମୂଲ୍ୟ ପ୍ରାୟ ୧୭,୭୩୯ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧.୬ ନିୟୁତ) ଅତିକ୍ରମ କରେ। ଭବିଷ୍ୟତରେ ଏହି ଶୁଳ୍କ ୧୦ ପ୍ରତିଶତକୁ ହ୍ରାସ କରାଯାଇପାରେ।
ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଦୀର୍ଘକାଳୀନ ବାଣିଜ୍ୟ ଆଲୋଚନାରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ରିହାତି ଭାବରେ ଦେଖାଯାଉଛି। ଉଭୟ ପକ୍ଷ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିରେ ପହଞ୍ଚିବାକୁ ଯାଉଛନ୍ତି। ଯାହା ଜାନୁଆରୀ ୨୭ ସୁଦ୍ଧା ଚୂଡ଼ାନ୍ତ ହୋଇପାରେ। ଏହି ପ୍ରସ୍ତାବିତ ଚୁକ୍ତିକୁ “ମଦର୍ ଅଫ ଅଲ୍ ଡିଲ” କୁହାଯାଉଛି।
ଏହି ଶୁଳ୍କ ହ୍ରାସ ଧୀରେ ଧୀରେ କାର୍ଯ୍ୟକାରୀ ହେବ। ଏହା ଭୋକ୍ସୱାଗନ୍, ମର୍ସିଡିଜ୍-ବେଞ୍ଜ ଏବଂ BMW ଭଳି ୟୁରୋପୀୟ କାର କମ୍ପାନୀଗୁଡ଼ିକୁ ଭାରତରେ ଯାନବାହନ ବିକ୍ରୟ କରିବା ସହଜ କରିବ। ଏହି କମ୍ପାନୀଗୁଡ଼ିକ ଅନେକ ସମୟ ଧରି ଭାରତରେ ଶୁଳ୍କ ହ୍ରାସ ପାଇଁ ଦାବି କରିଆସୁଛନ୍ତି।
Comments are closed.