Latest Odisha News

ଚମକାଇଲା ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ, କହିଲା ବିଜେଡି ଜିତିପାରେ ୨ଟି ଲୋକସଭା ଆସନ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲର ଆକଳନ ଏବେ ଚମକାଇ ଦେଇଛି। ଯାହାକୁ କେହି କେବେ ଆକଳନ କରିନାହାନ୍ତି। ଯଦିଓ ମାଇ ଇଣ୍ଡିଆର ରିପୋର୍ଟ ବିଭିନ୍ନ ସମୟରେ ସଠିକ ହୋଇଥିବାର ମଧ୍ୟ ରିପୋର୍ଟ ରହିଛି।

ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୮ରୁ ୨୦ଟି ଆସନ ଜିତିବ ବୋଲି ଆକଳନ କରାଯାଇଥିବା ବେଳେ ଶାସକ ବିଜୁ ଜନତା ଦଳ ମାତ୍ର ସର୍ବାଧିକ ୨ଟି ଆସନରେ ବିଜୟୀ ହୋଇପାରେ। ଏହାବ୍ୟତୀତ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି। ଭୋଟ୍ ପ୍ରତିଶତ ହିସାବରେ ବିଜେପିକୁ ୫୧ ପ୍ରତିଶତ, ବିଜେଡିକୁ ୩୩ ପ୍ରତିଶତ ଓ କଂଗ୍ରେସକୁ ୧୩ ପ୍ରତିଶତ ଭୋଟ୍ ମିଳିବ ବୋଲି ଆକଳନ କରାଯାଇଛି।

ଶାସକ ବିଜୁ ଜନତା ଦଳ ରାଜ୍ୟରେ ଲଗାତାର ଷଷ୍ଠ ଥର ପାଇଁ ସରକାର ଗଠନ କରିବାକୁ ଆଶା ରଖିଛି। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଏହି ପଦରେ ରହି ଜୁନ୍ ୯ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ଦଳ ପକ୍ଷରୁ ଘୋଷଣା ହୋଇଛି।

ହିଞ୍ଜିଳି ଓ କଣ୍ଟାବାଞ୍ଜି ଭଳି ଦୁଇଟି ଆସନରେ ନବୀନ ନିର୍ବାଚନ ଲଢ଼ୁଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ହେଁ ପୂର୍ବ ଆସନକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲେ।

ଏଥର ୨୧ଟି ଲୋକସଭା ଆସନରୁ ବିଜେଡି ୧୫ଟି ଆସନରେ ବିଜୟୀ ହେବ ବୋଲି ନବୀନ ପଟ୍ଟନାୟକଙ୍କ ସହଯୋଗୀ ଭିକେ ପାଣ୍ଡିଆନ ଦାବି କରିଛନ୍ତି।

୨୦୧୪ ଲୋକସଭା ନିର୍ବାଚନରେ ୨୦ଟି ଆସନ ବିଜେଡି ଜିତିଥିବା ବେଳେ ୨୦୧୯ରେ ବିଜେଡି ୧୨ଟି ଆସନକୁ ଖସି ଆସିଥିଲା। ଅନ୍ୟପକ୍ଷରେ ୨୦୧୯ରେ ବିଜେପି ଓ କଂଗ୍ରେସ ଯଥାକ୍ରମେ ୮ ଓ ଗୋଟିଏ ଆସନରେ ବିଜୟୀ ହୋଇଥିଲେ।

Leave A Reply

Your email address will not be published.