ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର ଫୋର ମ୍ୟାଚରେ ଭାରତ ପାକିସ୍ତାନକୁ ଧୂଳି ଚଟାଇଲା। ଏହି ବିଜୟ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପାକିସ୍ତାନ ବିରୋଧରେ ଲଗାତାର ଦ୍ଵିତୀୟ ବିଜୟ। ଅଭିଷେକ ଶର୍ମା ଅର୍ଦ୍ଧଶତକ ମାରିଥିବା ବେଳେ ଶୁଭମନ ଗିଲ ୪୭ ରନର ଦମଦାର ଇନିଂସ ଖେଳଥିଲେ।
ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭୧ ରନ କରିଥିଲା। ଜବାବରେ ଭାରତ ଅଭିଷେକ ଶର୍ମା ଓ ଶୁଭମନ ଗିଲଙ୍କ ଦମଦାର ବ୍ୟାଟିଂରେ ୧୮.୫ ଓଭରରେ ଲକ୍ଷ୍ୟ ହାସଲ କରିନେଲା। ଅଭିଷେକ ୩୯ ବଲରେ ୭୪ ରନ କରିଥିଲେ। ସେ ୬ଟି ଚୌକା ଓ ୫ଟି ଛକା ମାରିଥିଲେ। ଶୁଭମନ ଗିଲ ୨୮ ବଲରେ ୪୭ ରନ କରିଥିଲେ। ଉଭୟେ ପ୍ରଥମ ଓ୍ଵିକେଟ ପାଇଁ ୧୦୫ ରନର ଇନିଂସ ଜୋଡିଥିଲେ।
ପାଓ୍ଵାରପ୍ଲେରେ ଅଭିଷେକ ଓ ଗିଲ ଦମଦାର ଖେଳ ଦେଖାଇଥିଲେ। ମାତ୍ର ୪.୪ ଓଭରରେ ଉଭୟେ ୫୦ ରନର ଜୋଡ଼ି ଗଢ଼ିଥିଲେ। ଅଭିଷେକ ଶର୍ମା ମାତ୍ର ୨୪ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ ନିଜର କ୍ଲାସ ଦେଖାଇଥିବା ବେଳେ ଅଭିଷେକ ପାଓ୍ଵାର ହିଟିଂରେ ସମସ୍ତଙ୍କୁ ଚମକାଇ ଦେଇଥିଲେ। ୫୨ ବଲରେ ଉଭୟ ଦଳର ସ୍କୋରକୁ ୧୦୦ ପାର କରିଥିଲେ।
ଦଶ ଓଭରରେ ଶୁଭମନ ଗିଲ ଫହିମ ଅଶରଫଙ୍କ ବଲରେ ବୋଲ୍ଡ ହୋଇଥିଲେ। ଏହାପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ନଥିବା ବେଳେ ଆଉଟ ହୋଇଥିଲେ। ଅଭିଷେକଙ୍କଠାରୁ ଶତକର ଆଶା ଥିଲା, ମାତ୍ର ୭୪ ରନରେ ସେ ଆବରାର ଅହମଦଙ୍କୁ ଓ୍ଵିକେଟ ଦେଇଥିଲେ। ତା’ପରେ ତିଲକ ବର୍ମା ଓ ସଞ୍ଜୁ ସାମସନ ଦମଦାର ଖେଳି ଭାରତକୁ ଜିତାଇଥିଲେ।
ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭୧ ରନ କରିଥିଲା। ଗୋଟିଏ ସମୟରେ ଏହା ୨୦୦ ପାର ହେବ ବୋଲି ଲାଗୁଥିଲା। ପ୍ରଥମ ୧୦ ଓଭରରେ ପାକିସ୍ତାନ ୯୧ ରନ କରି ମାତ୍ର ଗୋଟିଏ ଓ୍ଵିକେଟ ହରାଇଥିଲା। ମାତ୍ର ପରବର୍ତ୍ତୀ ୭ ଓଭରରେ ଭାରତୀୟ ବୋଲରମାନେ ପାକିସ୍ତାନୀ ବ୍ୟାଟରଙ୍କୁ ରୋକି ଦେଇଥିଲେ। ସାହିବଜାଦା ଫରହାନ ୫୮ ରନ କରିଥିଲେ। ମହମ୍ମଦ ନାଓ୍ଵାଜ ୧୯ ବଲରେ ୨୧ ରନ ଓ ହୁସେନ ତଲତ ୧୧ ବଲରେ ୧୦ ରନ କରିଥିଲେ। ଏହା ପାକିସ୍ତାନର ନେଟ ରନରେଟକୁ କମାଇଥିଲା।
ଶେଷ ଦୁଇ ଓଭରରେ ଫହିମ ଅଶରଫ ୮ ବଲରେ ୨୦ ରନ କରି ପାକିସ୍ତାନର ସ୍କୋରକୁ ୧୭୧ରେ ପହଞ୍ଚାଇଥିଲେ। ଭାରତ ପାଇଁ ଶିବମ ଦୁବେ ୨ଟି ଓ୍ଵିକେଟ ନେଇଥିଲେ। କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ। ଜସପ୍ରୀତ ବୁମରାହ ୪ ଓଭରରେ ୪୫ ରନ ଦେଇଥିଲେ। ଶେଷରେ ଭାରତ ସହଜରେ ମ୍ୟାଚ ଜିତିନେଇଥିଲା।
Comments are closed.