Latest Odisha News

ଚାମ୍ପିଅନସ ଟ୍ରଫି ପାଇଁ ବିସିସିଆଇ ଦେବ ହାଇବ୍ରିଡ୍ ମଡେଲର ପ୍ରସ୍ତାବ

ନୂଆଦିଲ୍ଲୀ: ୨୦୧୭ ପରେ ପ୍ରଥମ ଥର ପାଇଁ ଖେଳାଯିବ ଆଇସିସି ଚାମ୍ପିଅନସ ଟ୍ରଫି କ୍ରିକେଟ । ୨୦୨୫ରେ ପାକିସ୍ତାନ ଆୟୋଜନ କରିବ ଏହି ଚାମ୍ପିଅନସିପ୍ । ତେବେ, ଏଥିରେ ଟୁର୍ଣ୍ଣାମେଂଟରେ ଭାଗ ନେବାକୁ ଭାରତୀୟ ଦଳ ପାକିସ୍ତାନ ଯାଇନପାରେ । ବିସିସିଆଇ ଏନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରିନଥିଲେ ମଧ୍ୟ ଭାରତୀୟ କ୍ରିକେଟ ଦଳ ଚାମ୍ପିଅନସିପ୍ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ଜଣାପଡୁଛି। ଭାରତ ଟୁର୍ଣ୍ଣାମେଂଟରେ ଭାଗ ନେବ, କିନ୍ତୁ ପାକିସ୍ତାନ ଯିବ ନାହିଁ । ଭାରତୀୟ ଦଳ ପାକିସ୍ତାନ ନଗଲେ ସେଠାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ୱାଭାବିକ । କୁହାଯାଉଛି ଯେ, ଗତବର୍ଷର ଏସିଆ କପ୍ ପରି ବିସିସିଆଇ ଚାମ୍ପିଅନସ ଟ୍ରଫି ପାଇଁ ହାଇବ୍ରିଡ୍ ମଡେଲର ପ୍ରସ୍ତାବ ପାକ୍ କ୍ରିକେଟ ବୋର୍ଡକୁ ଦେଇପାରେ । ମାନେ ଭାରତ ପାକିସ୍ତାନରେ ମ୍ୟାଚ ନଖେଳି ଶ୍ରୀଲଙ୍କା କିମ୍ବା ୟୁଏଇରେ ଚାମ୍ପିୟନସିପ୍ ଟ୍ରଫିର ମ୍ୟାଚ ଖେଳିପାରେ । କିନ୍ତୁ ଏହି ପ୍ରସ୍ତାବରେ ପାକିସ୍ତାନ କ୍ରିକେଟ ବୋର୍ଡ ରାଜି ହେବ ତ ?

ଗତବର୍ଷ ଏସିଆ କପର ଆୟୋଜନ କରିଥିଲା ପାକିସ୍ତାନ । କିନ୍ତୁ ପାକିସ୍ତାନକୁ ଟିମ୍ ପଠାଇବା ପାଇଁ ବିସିସିଆଇ ମନା କରିବା ପରେ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ହାଇବ୍ରିଡ ମଡେଲରେ ଖେଳାଯାଇଥିଲା ଭାରତର ମ୍ୟାଚ୍ । ଶ୍ରୀଲଙ୍କାର ଖେଳାଯାଇଥିଲା ଏସିଆ କପର କିଛି ମ୍ୟାଚ୍ । ଶ୍ରୀଲଙ୍କା ବିପକ୍ଷ ଫାଇନାଲ ମ୍ୟାଚ ସମେତ ଗ୍ରୁପ୍ ମ୍ୟାଚ୍ ବି ଶ୍ରୀଲଙ୍କାରେ ଖେଳିଥିଲା ଭାରତୀୟ ଦଳ । ଠିକ୍ ସେହିପରି ଆସନ୍ତାବର୍ଷ ହେବାକୁ ଥିବା ଚାମ୍ପିଅନସ ଟ୍ରଫିରେ ବି ହାଇବ୍ରିଡ ମଡେଲରେ ଖେଳାଯିବାକୁ ବିସିସିଆଇ ପ୍ରସ୍ତାବ ଦେବ । ଶ୍ରୀଲଙ୍କାରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଆଇସିସି ବୈଠକରେ ବିସିସିଆଇ ଏହ ପ୍ରସ୍ତାବ ଉପସ୍ଥାପନ କରିବ ବୋଲି ଜଣାପଡିଛି ।

ଦୁଇ ସପ୍ତାହ ପୂର୍ବେ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନସ ଟ୍ରଫି ପାଇଁ ଏକ ଖେଳ ସୂଚୀ ଜାରି କରିଥିଲା । ସୁରକ୍ଷା ଦୃଷ୍ଟିରୁ ଭାରତର ସମସ୍ତ ମ୍ୟାଚକୁ ଲାହୋରରେ ଖେଳାଯିବା ପାଇଁ ନିଷ୍ପତ୍ତି ନେଇଥିଲା ପିସିବି । କିନ୍ତୁ ବିସିସିଆଇ ପାକିସ୍ତାନକୁ ଟିମ୍ ପଠାଇବା ମୁଡରେ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୮ ପରେ କୌଣସି କ୍ରିକେଟ ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିନାହିଁ । ୨୦୦୮ରେ ଏସିଆ କପ୍ ଖେଳିବା ପାଇଁ ଶେଷଥର ଭାରତ ପାକିସ୍ତାନ ଗସ୍ତ କରିଥିଲା । ଏହାପରେ ପାକିସ୍ତାନ ଏକ ସଂକ୍ଷିପ୍ତ ଦ୍ୱିପାକ୍ଷିକ ସିରିଜ୍ ପାଇଁ ଭାରତ ଗସ୍ତରେ ଆସିଥିଲା । ତେବେ ପାକିସ୍ତାନ ୨୦୧୬ ଟି-୨୦ ବିଶ୍ୱକପ୍‌, ୨୦୨୩ ବିଶ୍ୱକପ୍ କ୍ରିକେଟ ପାଇଁ ଭାରତ ଗସ୍ତ କରିଥିଲା। ୨୦୧୨ଠାରୁ ଭାରତୀୟ କ୍ରିକେଟ ଦଳ କେବଳ ଆଇସିସି ଇଭେଂଟ ଗୁଡିକରେ ହିଁ ପାରମ୍ପରିକ ପ୍ରତିଦ୍ୱନ୍ଦୀ ସହ ଖେଳିଛି । ରାଜନୈତିକ କାରଣରୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଅନୁଷ୍ଠିତ ହୋଇନାହିଁ ।

ଚାମ୍ପିଅନସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଯଦି ନଯାଏ,ତାହା ହେଲେ ସେଠାକାର କ୍ରିକେଟ ମହଲରେ ଭାରତ ବିରୋଧୀ ସ୍ୱର ଆହୁରି ତୀବ୍ର ହୋଇପାରେ। ଏଥିପାଇଁ ଆଇସିସି ଓ ବିସିସିଆଇର ବଡ ଭାଇ ପଣିଆକୁ ଦୋଷ ଦେବେ କିଛି ପାକ୍ କ୍ରିକେଟର ଓ ସେଦେଶର କ୍ରିକେଟପ୍ରେମୀ ।

Comments are closed.