Latest Odisha News

BREAKING NEWS

ହକି ବିଶ୍ୱକପ: ଭାରତ ପାଇଁ ବିଜୟ ହିଁ ଏକମାତ୍ର ବିକଳ୍ପ

ଭୁବନେଶ୍ୱର: ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପରେ ଭାରତ ପାଇଁ ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ଆଣିଛି । ଏଥିରେ ବିଜୟ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ବିଜୟ ହାସଲ କଲେ ଭାରତ କ୍ୱାର୍ଟର ଫାଇନାଲରେ ବେଲଜିୟମକୁ ଭେଟିବ । ଅବଶ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଛି । ଏଫଆଇଏଚ ଲିଗରେ କିୱି ଦଳକୁ ୪-୩, ୭-୪ ଗୋଲରେ ହରାଇଥିଲା । ଅମିତ ରୋହିଦାସ ଓ ନୀଲମ ଖେସଙ୍କ ଉପରେ ଭାରତ ବିଶେଷ କରି ଓଡିଶା କ୍ରୀଡାପ୍ରେମୀଙ୍କ ନଜର ରହିବ । ଘରୋଇ ପରିବେଶରେ ଏହି ଦୁଇ ଖେଳାଳି ଭାରତ ପାଇଁ ଟ୍ରମ୍ପ କାର୍ଡ ସାଜିବେ ବୋଲି ଆଶା କରାଯାଉଛି ।

ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ନ ପାରିବା ଭାରତ ପାଇଁ ସବୁଠାରୁ ବଡ ସମସ୍ୟା ଭାବେ ଉଭା ହୋଇଛି । ପ୍ରଥମ ୨ଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ହାର୍ଦ୍ଦିକ ସିଂ ଆହତ ସମସ୍ୟାରୁ ଓହରି ଯାଇଛନ୍ତି । ଏହା ଟିମ କମ୍ବିନେଶନ ବିଗାଡିବା ଆଶଙ୍କା ସୃଷ୍ଟି କରିଛି । ଓଭରାଲ ପ୍ରଦର୍ଶନ ବିଚାରକୁ ନେଲେ ଉଭୟ ଟିମ ପରସ୍ପର ବିରୋଧରେ ୪୪ ମ୍ୟାଚ ଖେଳିଛନ୍ତି । ଭାରତ ୨୪ ଓ ନ୍ୟୁଜିଲାଣ୍ଡ ୧୫ ମ୍ୟାଚ ଜିତିଛନ୍ତି । ସେହିପରି ବିଶ୍ୱକପରେ ହୋଇଥିବା ୬ଟି ମୁକାବିଲାରୁ ଭାରତ ୩ ଓ ନ୍ୟୁଜିଲାଣ୍ଡ ୨ରେ ବିଜୟୀ ହୋଇଛନ୍ତି । ଗୋଟିଏ ମ୍ୟାଚର ଫଳାଫଳ ବାହାରି ନାହିଁ । ୨୧ ବର୍ଷ ପରେ ଉଭୟ ଟିମ ବିଶ୍ୱକପରେ ପରସ୍ପରକୁ ଭେଟୁଛନ୍ତି ।

Leave A Reply

Your email address will not be published.