Latest Odisha News

BREAKING NEWS

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଶତକୀୟ ଟେଷ୍ଟ, ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଶତକୀୟ ଟେଷ୍ଟ ମୁକାବିଲା । ପୋର୍ଟ ଅଫ ସ୍ପେନରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ଚଳିତ ଶୃଙ୍ଖଳାର ଦ୍ବିତୀୟ ତଥା ଅନ୍ତିମ ମୁକାବିଲା। ପ୍ରଥମ ଟେଷ୍ଟରେ ବିଜୟ ସହ ଏହି ଦୁଇ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ତେବେ ପ୍ରଥମ ଟେଷ୍ଟରୁ ମାତ୍ର ୪ ଦିନ ଭିତରେ ହାରିଥିବା ଘରୋଇ ୱେଷ୍ଟଇଣ୍ଡିଜ ନିଶ୍ଚିତ ଆଉ ଏକ ଆହ୍ବାନର ସମ୍ମୁଖୀନ ହେବ। ଭାରତ ଶୃଙ୍ଖଳା ଜିତିବା ସମ୍ଭାବନା ଅଧିକ ଥିବାବେଳେ ଘରୋଇ ଦଳ ନିଶ୍ଚିତ କିଛିଟା ଲଢ଼େଇ କରିବାକୁ ଆଶା ରଖିବ।

ଡୋମିନିକାରେ ଭାରତୀୟ ସ୍ପିନ ଯୋଡ଼ି ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦର ଜାଡେଜା ଚମତ୍କାର ପ୍ରଦର୍ଶନ କରିଥିଲେ । ତେବେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ସ୍ପିନ ବୋଲରଙ୍କ ରାଜୁତି ରହିବା ସମ୍ଭାବନା ଅଧିକ । ୧୩ ବର୍ଷ ଭିତରେ ୩୧ ବର୍ଷୀୟ ଜୟଦେବ ଉନାଦକଟ ମାତ୍ର ୩ ଟେଷ୍ଟ ଖେଳିଥିବାରୁ ଆଉ ଏକ ସୁଯୋଗ ପାଇବା ସମ୍ଭାବନା ରହିଛି। ପ୍ରଥମ ଟେଷ୍ଟରେ ୭୬ ରନ କରିଥିବା ବିରାଟ କୋହଲିଙ୍କଠାରୁ ୨୦୧୮ ମସିହା ପରେ ବିଦେଶରେ ପ୍ରଥମ ଶତକ ଆଶା କରାଯାଉଛି। ତୃତୀୟ ଭାରତୀୟ ଭାବେ ଯଶସ୍ବୀ ଜୟସ୍ବାଲ ପଦାର୍ପଣରେ ୧୫୦ରୁ ଊର୍ଧ୍ବ ରନ ପାଳି (୧୭୧) ଖେଳିଥିବାରୁ ଏଠାରେ ମଧ୍ୟ ଅନୁରୂପ ଆଶା ରହିବ।

ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ ବିଗତ ୨୧ ବର୍ଷ ଭିତରେ ଗୋଟିଏ ବି ବିଜୟ ପାଇନାହିଁ। ପ୍ରଥମ ଟେଷ୍ଟର ଶ୍ରେଷ୍ଠ ଖେଳାଳି ଜୟସ୍ବାଲଙ୍କୁ ମାତ୍ର ୫ ମାସ ହୋଇଥିବା ବେଳେ ୨୦୦୨ରେ ଭାରତକୁ ୱେଷ୍ଟଇଣ୍ଡିଜ ଶେଷ ଥର ପାଇଁ ହରାଇଥିଲା। ଏହା ପରଠାରୁ ଉଭୟ ଦଳ ୨୪ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧୫ଟି ଜିତି ଅବଶିଷ୍ଟ ୯ଟିକୁ ଅମୀମାଂସିତ ରଖିଛି। ମୋଟ ଉପରେ ଉଭୟ ଦଳ ଖେଳିଥିବା ୯୯ ଟେଷ୍ଟରୁ ଭାରତ ୨୩, ୱେଷ୍ଟଇଣ୍ଡିଜ ୩୦ ଜିତିଛନ୍ତି। ଅବଶିଷ୍ଟ ୪୬ ଟେଷ୍ଟ ବିନା ହାରଜିତରେ ଶେଷ ହୋଇଛି।

Leave A Reply

Your email address will not be published.