Latest Odisha News

BREAKING NEWS

ବର୍ଷ ଶେଷ ସୁଦ୍ଧା ଭାରତକୁ ମିଳିପାରେ କୋଭିଡ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ନୂଆ ଆଶା ଦେଖାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯଦି ସବୁ କିଛି ଠିକ୍ ରହେ ତେବେ ଚଳିତବର୍ଷ ଶେଷ ସୁଦ୍ଧା ଭାରତକୁ କରୋନା ଟିକା ମିଳିଯାଇପାରେ । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଦେଶବାସୀଙ୍କ ଭିତରେ ବଡ ଧରଣର ଆଶ୍ୱାସନା ଆଣିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ବର୍ତ୍ତମାନ ଦୁଇଟି ସ୍ୱଦେଶୀ ଟିକା ସମେତ ମୋଟ ୩ଟି କୋଭିଡ୍ ଟିକାର ପରୀକ୍ଷା ଜାରି ରହିଛି ।

ଆଇସିଏମଆର ନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ, ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଟିକା ଏବଂ ଜାଇଡସ କାଡିଲା ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇସାରିଛି । ସେହିପରି ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ ଏବଂ ଆଷ୍ଟ୍ରାଜେନେକାର ସହଭାଗୀତାରେ ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା ଟିକାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି । ଆସନ୍ତା ସପ୍ତାହରୁ ଟିକାର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ ।

ଏହାରି ଭିତରେ ଦେଶରେ ଆରୋଗ୍ୟ ହାର ୭୫ ପ୍ରତିଶତରେ ପହଁଚିଯାଇଛି । ଦେଶରେ ବର୍ତ୍ତମାନ ୩୦ ଲକ୍ଷ ୪୪ ହଜାର ୯୪୧ ଜଣ ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ୭ ଲକ୍ଷ୭ ହଜାର ୬୬୮ ଜଣ ସକ୍ରିୟ ମାମଲା ରହିଛି । ୨୨ ଲକ୍ଷ ୮୦ ହଜାର ୫୬୭ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାଏ ୫୬ ହଜାର ୭୦୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.