Latest Odisha News

ଯଶସ୍ୱୀ, ଶୁଭମନଙ୍କ ଅପରାଜିତ ଅର୍ଦ୍ଧଶତକ, ସିରିଜ ଜିତିଲା ଭାରତ

ହରାରେ: ଯଶସ୍ୱୀ ଜୈସୱାଲ ଓ ଶୁଭମନ ଗିଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ରେ ଭାରତ ୧୦ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଭାରତ ହାତରେ ୨୮ ବଲ ବାକିଥାଇ ଏହି ବିଜୟ ହାସଲ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୩-୧ରେ ଅଗ୍ରଣୀ ରହି ଭାରତ ଆଗୁଆ ସିରିଜ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୭ ୱିକେଟ ବିନିମୟରେ ୧୫୨ ରନ କରିଥିଲା । ସିକିନ୍ଦର ରାଜା ସର୍ବାଧିକ ୪୬ ରନ କରିଥିଲେ । ଭାରତ ପକ୍ଷରୁ ଖଲିଲ ଅହମ୍ମଦ ୨ଟି ୱିକେଟ ଅକ୍ତିଆର କରିଥିଲେ । ୧୫୩ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୫.୨ ଓଭରରେ କୌଣସି ୱିକେଟ ନ ହରାଇ ହାସଲ କରି ନେଇଥିଲା ।

ଜୈସୱାଲ ୫୩ ବଲରୁ ୯୩ ଏବଂ ଗିଲ ୩୯ ବଲରୁ ୫୮ ରନ ସଂଗ୍ରହ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଜୈସୱାଲଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚନା କରାଯାଇଥିଲା । ସେ ଶତକ ହାସଲ କରିପାରି ନ ଥିଲେ । ପ୍ରଥମ ମ୍ୟାଚରେ ହାରିବା ପରେ ଭାରତ କ୍ରମାଗତ ୩ଟି ମ୍ୟାଚରେ ଜିତି ଜିମ୍ବାୱେକୁ ଚାପରେ ପକାଇ ଦେଇଛି । ଦଳଗତ ପ୍ରଦର୍ଶନ ଯୋଗୁ ମ୍ୟାଚରେ ବିଜୟ ହାସଲ କଲୁ ବୋଲି ମ୍ୟାଚ ପରେ ଗିଲ କହିଛନ୍ତି ।

Comments are closed.