କୋଲକାତା: ସଞ୍ଜୁ ସାମସନଙ୍କ ସ୍ମରଣୀୟ ଇନିଂସ ବଳରେ ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ବିନିମୟରେ ୧୯୫ ରନ କରିଥିଲା । ରୋଷ୍ଠନ ଚେଜ ୪୦ ଓ ଜାସନ ହୋଲ୍ଡର ଅପରାଜିତ ୩୭ ରନ କରିଥିଲେ । ଯଶପ୍ରୀତ ବୁମରାହ ଭାରତ ପକ୍ଷରୁ ୨ଟି ୱିକେଟ ନେଇଥିଲେ । ୧୯୬ ରନର ଲକ୍ଷ୍ୟକୁ ପିଛା କରି ଭାରତ ଦୁଇ ଓପନର ଅଭିଷେକ ଶର୍ମା ଓ ଈଶାନ କିଶାନଙ୍କୁ ଶସ୍ତାରେ ହରାଇଥିଲ । ଉଭୟ ୧୦ ରନ ଲେଖାଏଁ କରିଥିଲେ ।
ସଞ୍ଜୁ କିନ୍ତୁ ଗୋଟିଏ ପଟେ କ୍ରିଜରେ ରହି ଭାରତର ବିଜୟୀ ସ୍କ୍ରିପ୍ଟ ଲେଖିଥିଲେ । ସେ ସୂର୍ଯ୍ୟକୁମାର ଯାଦବଙ୍କ ସହ ୩୫ ବଲରେ ୫୮, ତିଳକ ବର୍ମାଙ୍କ ସହ ୪୨, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ୩୮ ଓ ଶିବମ ଦୁବେଙ୍କ ସହ ଅପରାଜିତ ୨୦ ରନ ଯୋଗ କରିଥିଲେ । ସେ ୫୦ ବଲରେ ୧୨ ଚୌକା, ୪ଛକା ସହାୟତାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୯୭ ରନ କରି ଅପରାଜିତ ରହିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଜାସନ ହୋଲ୍ଡର ଓ ଶେମର ଜୋସେଫ ୨ଟି ଲେଖାଏଁ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ସଞ୍ଜୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଭାରତ ପାଇଁ ଏହି ମ୍ୟାଚ କ୍ୱାର୍ଟରଫାଇନାଲ ସଦୃଶ ଥିଲେ । ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ଓ ଦ୍ୱିତୀୟରେ ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ ।