Latest Odisha News

କୋହଲିଙ୍କ ୫୧ତମ ଶତକ, ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ହାଇ ଭୋଲଟେଜ ମୁକାବିଲାରେ ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । କୋହଲିଙ୍କ ଏହା ଦିନିକିଆ କ୍ରିକେଟରେ ୫୧ତମ ଶତକ । ଏଥିସହ ଭାରତ ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଥିବା ବେଳେ ପାକିସ୍ତାନ ପ୍ରାୟତଃ ବାଦ ପଡିଛି । ଶତକ ସହ କୋହଲି ଦ୍ରୁତ ୧୪୦୦୦ ରନ କରିବାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲଆଉଟ ହୋଇ ଯାଇଥିଲା । ସୌଦ ସକୀଲ ୬୨ ଓ ମହମ୍ମଦ ରିଜୱାନ ୪୬ ରନ କରିଥିଲେ । ଭାରତ ପକ୍ଷରୁ କୂଲଦୀପ ଯାଦବ ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ହର୍ଷିତ ରାଣା, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୨୪୨ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୨.୩ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା । କୋହଲି ୧୧୧ ବଲରେ ୭ ଚୌକା ସହାୟତାରେ ୧୦୦ ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୨୦, ଶୁଭମନ ଗିଲ ୪୬, ଶ୍ରେୟାଶ ଆୟାର ୫୬ , ହାର୍ଦ୍ଦିକ ୮ ରନ କରିଥିଲେ । ଅକ୍ଷର ୩ ରନ କରି ଅପରାଜିତ ରହିଥିଲେ । ପାକିସ୍ତାନ ପକ୍ଷରୁ ଶାହୀନ ଶାହ ଆଫ୍ରିଦୀ ୨ଟି ଏବଂ ଆବରାର ଅହମ୍ମଦ ଓ ଖୁସଦୀଲ ଶାହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Comments are closed.