କୋଲକାତା: ସ୍ଥାନୀୟ ଇଡେନଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ର ଅଗ୍ରଣୀ ହାସଲ କରିଛି । ଇଂଲଣ୍ଡ ପ୍ରଦତ ୧୩୩ ରନର ଲକ୍ଷ୍ୟକୁ ପିଛା କରି ଭାରତ ୧୨.୫ ଓଭରରେ ୩ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ଅଭିଷେକ ଶର୍ମା ୩୪ ବଲରୁ ୭୯ ରନ ସଂଗ୍ରହ କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ତାଙ୍କ ଇନିଂସରେ ୫ଟି ଚୌକା ଓ ୮ଟି ଛକା ମାରିଥିଲେ । ଅନ୍ୟମାନଙ୍କ ସଞ୍ଜୁ ସାମସନ (୨୬), ହାର୍ଦ୍ଦିକ ପାଣ୍ଡ୍ୟା(୩ ନଟ ଆଉଟ) ଓ ତିଳକ ବର୍ମା ୧୯ ରନ କରି ଅପରାଜିତ ରହିଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିପାରି ନ ଥିଲେ ।
ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚ୍ଚର ୨ଟି ଓ ଅଡିଲ ରଶିଦ ଗୋଟିଏ ୱିକେଟ ନେଇଥିଲେ । ଅଭିଷେକ କ୍ୟାଚ ଖସାଇବା ରଶିଦ ଏବଂ ଇଂଲଣ୍ଡ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ସେ ୨୦ ବଲରେ ତାଙ୍କ ଅର୍ଦ୍ଧଶତକ ପୂରଣ କରିଥିଲେ । ପୂର୍ବରୁ ଟସ ଜିତି ସୂର୍ଯ୍ୟକୁମାର ଯାଦବ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଅଧିନାୟକ ଜୋସ ବଟଲର ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୬୮ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ଟିମ ଇଣ୍ଡିଆର ବରୁଣ ଚକ୍ରବର୍ତି ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ଶଦୀପ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
Comments are closed.